ପୁରୀରେ ନୂଆବର୍ଷକୁ ସ୍ୱାଗତ : ବେଳାଭୂମିରେ ନୂତନ ସୂର୍ଯ୍ୟ ଉଦୟ ଦର୍ଶନ ପାଇଁ ଲୋକଙ୍କ ଭିଡ

ସେପଟେ ବାରଣାସୀରୁ ଆସିଲା ନୂଆବର୍ଷରେ ପ୍ରଥମ ଗଙ୍ଗା ଆଳତୀ

140

କନକ ବ୍ୟୁରୋ : ୨୦୨୧ ନୂଆ ବର୍ଷକୁ ସ୍ୱାଗତ । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ନେଇ ଆସିଛି ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପୁରୀ ବେଳାଭୂମିରେ ଜମିଥିଲା ଲୋକଙ୍କ ଭିଡ । ନୂଆବର୍ଷରେ ନୂଆସୂର୍ଯ୍ୟକୁ ସ୍ୱାଗତ କରିବାକୁ ପୁରୀରେ ସମୁଦ୍ର ବେଳାଭୂମିରେ ଲୋକେ ଅପେକ୍ଷା କରି ରହିଥିଲେ । ନୂଆ ବର୍ଷର ନୂଆ ସୂର୍ଯ୍ୟକୁ ଦର୍ଶନ ସହ ନୂଆ ବର୍ଷର ପ୍ରଥମ ଦିନରେ ସମୁଦ୍ର ସ୍ନାନ କରିବାକୁ ପୁରୀ ସମୁଦ୍ର କୂଳରେ ଭିଡ ଦେଖିବାକୁ ମିଳିଥିଲା ।

ସେପଟେ କୋଣାର୍କର ଚନ୍ଦ୍ରଭାଗା କୂଳରୁ ଆସିଛି ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟର ଚିତ୍ର । ବର୍ଷର ପ୍ରଥମ ଉଦୟ ସୂର୍ଯ୍ୟକୁ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବାକୁ ଚନ୍ଦ୍ରଭାଗା କୂଳରେ ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ ପର୍ଯ୍ୟଟକ । ଜିରୋ ନାଇଟକୁ କଟକଣା ମଧ୍ୟରେ ପାଳନ କରିବାରୁ ବଂଚିତ ରହିଥିବା ଲୋକେ ବେଳାଭୂମିରେ ସୂର୍ଯ୍ୟ ଉଦୟର ଦୃଶ୍ୟକୁ କିନ୍ତୁ ହତଛଡା କରିନଥିଲେ । ନୂତନ ବର୍ଷର ପ୍ରଥମ ସୂର୍ଯ୍ୟର ଦର୍ଶନ କରି ପର୍ଯ୍ୟଟକ ପୁଲକିତ ହୋଇଛନ୍ତି ।

ବାରଣାସୀରୁ ଆସିଲା ନୂଆ ବର୍ଷର ପ୍ରଥମ ଗଙ୍ଗା ଆଳତୀର ଚିତ୍ର । ନୂତନ ବର୍ଷ ଆରମ୍ଭରେ ବଡି ଭୋରରୁ ବାରଣାସୀରେ ଗଙ୍ଗା ମାତାଙ୍କ ଆଳତୀ ହୋଇଛି । ରୀତିନୀତି ସହ ନୂଆ ସଂଭାବନା ଆଶା କରି ଗଙ୍ଗା ମାତାଙ୍କ ଆଳତୀ ହୋଇଛି । ଚଳିତ ବର୍ଷ ଦେଶବାସୀଙ୍କୁ ସୁସ୍ଥ , ନିରୋଗ ଓ ବିକାଶର ବର୍ଷ ହେବାକୁ ମାଆ ଗଙ୍ଗାଙ୍କ ନିକଟରେ ପ୍ରଥମ ଆଳତୀରେ ଭକ୍ତ ଆଶା କରିଛନ୍ତି ।