କନକ ବ୍ୟୁରୋ: ଦଶମାସ ଦଶଦିନ ଗର୍ଭରେ ଧରି ସନ୍ତାନକୁ ନିଜ ଜୀବନର ସବୁ ସୁଖ ସନ୍ତାନ ପାଇଁ ଉତ୍ସର୍ଗ କରିଦିଏ । ଏହି ଆଶାରେ କି ପରିଣତ ବୟସରେ ପୁଅ ଝିଅମାନେ ତାଙ୍କର ଯତ୍ନ ନେବେ । ତାକୁ ସାହାରା ହେବେ । ହେଲେ ଆଜିର ଏହି ସ୍ୱାର୍ଥ ପର ଦୁନିଆରେ ଆଜି ଅନେକ ମାଆ ସେମାନଙ୍କ ସନ୍ତାନମାନଙ୍କ ପାଇଁ ପାଲଟିଯାଇଛନ୍ତି ଅଲୋଡା ଆଉ ଏହି ଅଲୋଡା ମାଆମାନଙ୍କ ଶେଷ ଠିକଣା ଏବେ ଜରା ନିବାସ ପାଲଟିଛି । ବିଶ୍ୱମାତୃତ୍ୱ ଦିବସ ଅବସରରେ ଦେଖନ୍ତୁ ଏହି ରିପୋର୍ଟ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଷ୍ଣୁପ୍ରୀୟା ଜରା ନିବାସ । ଏବେ ଏଠାରେ ରହୁଛନ୍ତି ଅନେକ ଅଲୋଡା ମା । ଘର ପରିବାର ସବୁଥାଇ ମଧ୍ୟ ସମସ୍ତଙ୍କ ପାଇଁ ଏମାନେ ଯେପରି ଅଲୋଡା ପାଲଟିଯାଇଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି ବାୟାଣୀ ଜେନା, ବୟସ ୬୮ବର୍ଷ । ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ବାୟାଣୀଙ୍କର ଥିଲା ସୁଖର ସଂସାର ।ଘର ଓ ପରିବାରକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲେ ବାୟାଣୀ । ହେଲେ ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କର ସବୁ ସ୍ୱପ୍ନ ସତେ ଯେମିତି ପାଣିଫୋଟକା ପରି ଉଭେଇଗଲା । ଆଉ ପିଲାମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ଶେଷରେ ଜୀବନ ବଞ୍ଚାଇବାକୁ ଘରୁ ପଳାଇଆସି ଏବେ ଏହି ଜରାନିବାସରେ ଦୀର୍ଘ ୧୧ବର୍ଷ ହେଲା ରହି ଆସୁଛନ୍ତି ।
ସେହିପରି ନେତ୍ରମଣୀ ପ୍ରଧାନଙ୍କ ଆଖିରୁ ୭ବର୍ଷ ହେଲା ଶୁଖୁନି ଲୁହ । ତିନିପୁଅ ଓ ସ୍ୱାମୀଙ୍କ ଠାରୁ ତାଙ୍କୁ ସ୍ନେହ ବଦଳରେ ନେତ୍ରମଣୀଙ୍କୁ ମିଳିଥିଲା କେବଳ ଦୁଃଖ ଆଉ ଯନ୍ତ୍ରଣା । ପରିଣତ ବୟସରେ ମା ମାନେ ପରିବାର ସୁଖ ଛାଡି ଏବେ ଜରାନିବାସରେ ଦିନ କାଟୁଛନ୍ତି ।
କୁହାଯାଏ, ମାଆ ହେଉଛି ସନ୍ତାନର ପ୍ରଥମ ଗୁରୁ । ନିଜର ପିଲାମାନଙ୍କୁ ମା” ହିଁ ପ୍ରଥମେ ଆଙ୍ଗୁଳିଧରି ବାଟଚଲାଇ ଶିଖାଇଥାଏ । ହେଲେ ବର୍ତ୍ତମାନ ବିଦେଶୀ ସଭ୍ୟତାର ପ୍ରଭାବରେ ମଣିଷ ନିଜ ସଭ୍ୟତା ଓ ସଂସ୍କୃତି ଠାରୁ ଧିରେଧିରେ ଦୁରେଇ ଯାଉଛି । କେଉଁଠି ରୋଗରେ ପିଡୀତା ମା ଚିକିତ୍ସା ପାଇଁ ପରକୁ ଅନାଇ ବସିଛି ତ ଆଉ କେଉଁଠି ବୟସର ସାୟାନ୍ନରେ ଛୁଆଙ୍କ ସ୍ନେହଶ୍ରଦ୍ଧା ଟିକେ ପାଇଁ ଅନାଇ ବସିଛି ମାଆ । ପରିବାର ଠାରୁ ଦୁରରେ ଥିବା ଏଭଳି ମା ମାନଙ୍କୁ ଏବେ ଜରାନିବାସର ସ୍ନେହର ସ୍ପର୍ଶ ସେମାନଙ୍କୁ କୋଳେଇ ନେଇଛି ।