ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ଅଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

141

କନକ ବ୍ୟୁରୋ : ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଜଗତଜନନୀ । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ଅଷ୍ଟମୀ ପୁଜା । ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଞ୍ଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡପରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଆଜି ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ ।

ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବେଳ ଯେତେବେ ଗଡୁଛି ଭିଡ ସେତିକି ବଢୁଥିବା ଦେଖିବାକୁ ମିଳୁଛି । ରାତି ୧୨ଟା ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ପୂଜା ପାଇଁ ଭିଡ ବଢୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ । ପୂଜା ବୁଲିବା ପାଇଁ କଟକରେ ଲୋକଙ୍କ ଭିଡ ବି ଜମୁଛି ।