କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । କରୋନା କଟକଣା ହଟିବା ପରେ ଦୁଇ ବର୍ଷ ଧୁମଧାମରେ ପାଳିତ ହେବ ଦୀପାବଳି । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ବାଣ କିଣିବା ପାଇଁ ଦୋକାନରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ଘର ଗୁଡ଼ିକ ରଙ୍ଗୋଲିରେ ସଜେଇ ହେବ । ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଠାରୁ ଆରମ୍ଭ କରି ଦୀପ ଗୁଡ଼ିକର ଦାମ ଚଢ଼ା ରହିଛି । ଦୀପାବଳିର ଅନ୍ୟତମ ଆକର୍ଷଣ ହେଉଛି ବଡ଼ବଡ଼ୁଆ ଡାକ ।
ପୂର୍ବ ପୁରୁଷଙ୍କୁ ଆହ୍ୱାନ କରି ସେମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଆଉ ରାତିରେ ବଡ଼ବଡ଼ିଆଙ୍କୁ ଡକା ଯାଇଥାଏ । ବଡ଼ବଡ଼ୁଆ ଡାକ ପାଇଁ କାଉଁରିଆ କାଠି ବିଡ଼ାର ବେଶ୍ ଚାହିଦା ରହିଛି । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ କାଳୀ । ସବୁ ପୂଜା ମଣ୍ଡପରେ ମା’ଙ୍କୁ ଶେଷ ସ୍ପର୍ଶ ଦିଆସରିଥିଲା ବେଳେ ଆଜି ରାତିରେ ପୂଜା ପାଇବେ । ବିଭିନ୍ନ ତୋରଣ ସାଙ୍ଗକୁ ଚାନ୍ଦି-ସୁନାରେ ଝଲସିବେ ମା’ । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ଆଜି ରାତିରେ ପୂଜା ଶେଷ ହେବ । ତା’ ପରେ ବୁଧବାର ପୁଣି ପୂଜା ପାଇବେ ମା’ ।
Follow Us