ଆଜି ଦୀପାବଳି : ଜାଣନ୍ତୁ ଏହା ପଛରେ ଥିବା କିମ୍ବଦନ୍ତୀ ଓ ପରମ୍ପରା

240

କନକ ବ୍ୟୁରୋ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଦୀପାବଳି ଭାରତ ପ୍ରାୟ ଅଧିକାଂଶ ଅଂଚଳରେ ପାଳିତ ହେଉଥିବା ଏକ ସର୍ବଭାରତୀୟ ପର୍ବ । କିନ୍ତୁ ଅଂଚଳ ଅନୁସାରେ ଏହାର ପାଳନ ପଦ୍ଧତି ଓ ମାନ୍ୟତା ଅଲଗା ଅଲଗା ରହିଛି । ଦୀପାବଳି ସହିତ ଜଡିତ ଏକ ସାଧାରଣ ବିଶ୍ବାସ ହେଉଛି ଯେ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କା ବିଜୟ ପରେ ଅଯୋଧ୍ୟା ଫେରିଥିଲେ ।

ଶ୍ରୀରାମଙ୍କ ଆସିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । କିନ୍ତୁ ଦକ୍ଷିଣ ଭାରତରେ ଦିନକ ପୂର୍ବରୁ ଅର୍ଥାତ ଚତୁର୍ଦ୍ଦଶୀ ଦିନଟିକୁ ଦୀପାବଳି ଭାବେ ପାଳନ କରାଯାଏ । ପୁରାଣ ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରବଳ ପ୍ରତାପୀ ନରକାସୁରକୁ ବଧ କରି ଧରିତ୍ରୀକୁ ତା ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାକୁ ସେଥପାଇଁ ନରକ ଚତୁର୍ଦ୍ଦଶୀଭାବେ ପାଳନ କରାଯାଏ । ନରକ ଚତୁର୍ଦ୍ଦଶୀରେ ଯମରାଜା ଓ ଚିତ୍ରଗୁପ୍ତଙ୍କୁ ମଧ୍ୟ ପୂଜା କରାଯାଏ ।

ଓଡ଼ିଶାରେ ଦୀପାବଳି ଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ସହ ସଂଧ୍ୟାରେ ବଡବଡୁଆ ଡାକିବାର ପରମ୍ପରା ରହିଛି । ସେହିପରି ଉତ୍କଳ,ପଶ୍ଚିମ ବଙ୍ଗରେ ଦୀପାବଳିରେ କାଳିପୂଜା କରାଯାଏ । ସେହିପରି ଦୀପାବଳିରେ ଉତ୍ତରଭାରତ ଓ ପଶ୍ଚିମଭାରତରେ ମହାଲକ୍ଷ୍ମୀ ଓ ଗଶେଶଙ୍କ ପୂଜା କରାଯାଏ । ଦୀପାବଳି ଦିନ ହିଁ ବିକ୍ରମ ସମ୍ବତର ପ୍ରଥମ ଦିନ । ଚଳିତବର୍ଷ ଦୀପାବଳିଠାରୁ ବିକ୍ରମ ସମ୍ବତ ୨୦୭୬ ଆରମ୍ଭ ହେବ ।