କନକ ବ୍ୟୁରୋ : ୩୪ ବର୍ଷରେ ପାଦ ରଖଛନ୍ତି କ୍ରିକେଟ୍ର ରନ ମେସିନ୍ କୁହାଯାଉଥିବା ଭାରତୀୟ ବ୍ୟାଟର ବିରାଟ କୋହଲି । କ୍ରିକେଟ୍ ଇତିହାସରେ ସଚିନ ତେନ୍ଦୁଲକରଙ୍କ ପରେ ଯଦି କେହି ଅଧିକ ପରିଚିତ ଥାଆନ୍ତି ସେ ହେଉଛନ୍ତି କୋହଲି । ଶନିବାର ୩୪ ତମ ଜନ୍ମଦିବସ ଅବସରରେ ଅଷ୍ଟ୍ରେଲିଆରେ ସାଥୀ ଖେଳାଳୀଙ୍କ ଉତ୍ସବ ମନାଇଛନ୍ତି ଭାରତର ଏହି ଷ୍ଟାର ବ୍ୟାଟର । ଯାହାର ଭିଡିଓ ବିସିସିଆଇ ନିଜ ଟୁଇଟର ଆକାଉଂଟରେ ସେୟାର କରିଛି । ଭାରତୀୟ କ୍ରିକେଟର ପୁରା ଟିମ୍ ସହ କୋହଲି କେକ୍ କାଟି  ଜନ୍ମଦିନ ମନାଉଥିବା ଦେଖିବାକୁ ମିଳିଛି । ଖେଳାଳୀମାନେ ପରଷ୍ପରକୁ କେକ୍ ଖୁଆଉଥିବାର ଭିଡିଓ ଇଂଟରନେଟରେ ଭାଇରାଲ ହେଉଛି । ଆଉ ପ୍ରଶଂସକମାନେ ବିରାଟଙ୍କ ଜନ୍ମଦିନ ପାଳନ କରିବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Advertisment

ରବିବାର ଜିମ୍ବାୱେ ବିପକ୍ଷରେ ଭାରତର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ତେଣୁ ଜନ୍ମଦିନରେ ନିଜ କର୍ତବ୍ୟ ନଭୁଲି ବିରାଟ ନେଟରେ ଜୋରଦାର ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆରେ ଥିବା ଟିମ୍ ଇଣ୍ଡିଆର ଖେଳାଳୀମାନେ ଷ୍ଟାଡିୟମରେ ବି କେକ୍ କାଟି କୋହଲିଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହାରି ମଧ୍ୟରେ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିରାଟଙ୍କର କିଛି ନିଆରା ଫଟୋ ସେୟାର କରି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବିଶ୍ୱକପରେ ବିରାଟ ଭଲ ଫର୍ମରେ ଥିବା ବେଳେ  ଜିମ୍ବାୱେ ବିପକ୍ଷରେ ଭଲ ପଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।

କୋହଲିଙ୍କ ୫ ବଡ ରେକର୍ଡ
୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ ଗୌତମ ଗମ୍ଭୀରଙ୍କ ସହ ବିରାଟଙ୍କ ୮୩ର ପାର୍ଟନରସିପ୍ ଭାରତକୁ ଆଉ ବିଶ୍ୱକପ ଆଣିଦେଇଥିଲା
୨୦୧୨ ଏସିଆ କପରେ ପାକିସ୍ତାନ ବିରୋଧରେ କୋହଲି ୧୮୩ ରନର ଇନିସ୍ ଖେଳି ଭାରତକୁ ବିଜୟୀ କରାଇଥିଲେ
୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ୮୬ ବଲରୁ ୧୩୩ ରନର ଇନିସ୍ ଖେଳି ଭାରତକୁ ସିରିଜ ବିଜୟୀ କରାଇଥିଲେ
୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୮୨ ରନର ପାଳି ଖେଳି ଭାରତକୁ ସେମି ଫାଇନାଲକୁ ନେଇଥିଲେ
୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଷଷ୍ଠ ଦ୍ୱିଶତକ ମାରିବା ସହ ଟେଷ୍ଟ ମ୍ୟାଚରେ ସର୍ବାଧିକ ଦ୍ୱିଶତକ ମାରିବାର ରେକର୍ଡ କରିଥିଲେ

ଚଳିତ ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ କୋହଲି ସର୍ବାଧିକ ୨୨୦ ରନର ଇନିଂସ ଖେଳିଛନ୍ତି । ମୋଟ ଉପରେ ଟି-୨୦ ବିଶ୍ୱକପରେ ବିରାଟ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଆଗାମୀ ଦିନରେ ଏହି ରନ ମେସିନ୍ ଭାରତ ପାଇଁ ଭଲ ପଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।