ଦିନେ କ୍ରିକେଟ ଖେଳିବାକୁ ମନା କରିଥିଲେ ଧୋନୀ । ପରେ ହେଲେ ଟିମ ଇଣ୍ଡିଆର ସଫଳ ଅଧିନାୟକ । ଜନ୍ମ ଦିନରେ ଜାଣନ୍ତୁ ଧୋନୀଙ୍କ ବିଷୟରେ କିଛି ଖାସ କଥା…

333

କନକ ବ୍ୟୁରୋ: ଧୋନୀ କେବଳ ଗୋଟିଏ ନାଁ ନୁହେଁ ଏହା ହେଉଛି ପ୍ରତିଟି କ୍ରିକେଟ ଫ୍ୟାନଙ୍କ ଭରସା । ଗୁଳିଠାରୁ ଅଧିକ ବିଚକ୍ଷଣ ଥିଲା ତାଙ୍କ ବୁଦ୍ଧି । ଆଉ ଚିତାଠାରୁ ଅଧିକ ଦ୍ରୁତ ଥଲା ତାଙ୍କ ଦୌଡ । ପଡିଆ ମଝିରେ ବାଜି ପଲଟାଇ ଦେବାର ଦକ୍ଷତା ରଖୁଥିଲେ ଧୋନୀ । ଯେତେବେଳେ ସଚିନ, ସେହୱାଗ, ଦ୍ରାବିଡ, ଗାଙ୍ଗୁଲିଙ୍କ ଆଉଟ ହୋଇଯିବା ପରେ ଖେଳ ଶେଷ ବୋଲି ଆମେ ଭାବୁଥିଲୁ, ସେତେବେଳେ ସେ ଶେଷ ଆଶା ଭାବେ ଉଭା ହୋଇଥିଲେ । ଯେଉଁଠି ଟିମ ଅଧା ୱିକେଟ ହରାଇ ନିରାଶ ହୋଇଯାଏ, ସେଇଠୁ ହିଁ ଆରମ୍ଭ ହୋଇଥାଏ ଧୋନୀଙ୍କ ଖେଳ । ଯିଏ ଅସମ୍ଭବକୁ ସମ୍ଭବରେ ପରିଣତ କରେ ସେହି ହେଉଛି ଧୋନୀ ।

ଧୋନୀ…ଭାରତୀୟ କ୍ରିକେଟକୁ ଦେଖାଇଥିଲେ ଗୋଟିଏ ନୂଆ ଦିଗ । ୱିକେଟ ପଛରେ ଛିଡା ହୋଇ ସେ ବିପକ୍ଷ ଦଳକୁ ମାତ୍ ଦେଉଥିଲେ । ଆଉ ଆଇସିସିର ୩ଟି ଟୁର୍ଣ୍ଣାମେଣ୍ଟରେ ସେ ଭାରତକୁ ବିଜୟୀ କରାଇଥିଲେ । ଏଥିପାଇଁ ତାଙ୍କୁ କୁହାଯାଏ ଟିମ ଇଣ୍ଡିଆର ସବୁଠାରୁ ସଫଳ କ୍ୟାପଟେନ । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ ଆମେ କାହିଁକି ଆଜି ଧୋନୀଙ୍କ ପ୍ରଶଂସା କରୁଛୁ । କାରଣ ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । ଆଜି ଧୋନୀଙ୍କୁ ୪୦ ବର୍ଷ ହୋଇଛି । ଆଜିର ଦିନରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ ।

ଝାଡଖଣ୍ଡର ରାଞ୍ଚି ସହରରେ ଧୋନୀ ଜନ୍ମ ଗ୍ରହଣ କରିଥିଲେ । ଧୋନୀଙ୍କ ବାପାଙ୍କ ନାଁ ଥିଲା ପାନ ସିଂ ଧୋନୀ । ଏହା ବ୍ୟତୀତ ଧୋନୀଙ୍କ ପରିବାରରେ ତାଙ୍କ ମାଆ, ଭାଇ ଓ ଭଉଣୀ ଥିଲେ । ରାଞ୍ଚି ଭଳି ଗୋଟେ ଛୋଟିଆ ସହରରୁ ବଡ ସ୍ୱପ୍ନ ଦେଖୁଥିଲେ ଧୋନୀ । ଗୋଟିଏ ମଧ୍ୟବିତ୍ତ ପରିବାରରୁ ଟିମ ଇଣ୍ଡିଆର କ୍ୟାପେଟେନ ହେବା ଛୋଟ କଥା ନଥିଲା । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ସ୍କୁଲ ସମୟରେ ସେ କ୍ରିକେଟ ପ୍ରତି ବେଶୀ ଆଗ୍ରହ ନଥିଲେ । ପିଲା ବେଳୁ ଧୋନୀ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳୁଥିଲେ । ସେ ସ୍କୁଲ ଫୁଟବଲ ଟିମର ଗୋଲ କିପର ମଧ୍ୟ ଥିଲେ । ଏହାପରେ ଦକ୍ଷତା ଦେଖି ଧୋନୀଙ୍କୁ ସ୍କୁଲ କ୍ରିକେଟ ଟିମର ୱିକେଟ କିପର ପାଇଁ ଚୟନ କରାଯାଇଥିଲା । ଏହାପରେ ନିଜ ବ୍ୟାଟିଂରେ ମଧ୍ୟ ସେ ଦକ୍ଷତା ଦେଖାଇଥିଲେ । ସ୍ଥାନୀୟ କ୍ରିକେଟ କ୍ଲବରେ ଖେଳି ଭଲ ପ୍ରଦର୍ଶନ କରିବା ପରେ ଧୋନୀଙ୍କୁ ଭିନୁ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଥିଲା ।

ରାଜ୍ୟସ୍ତରୀୟ କ୍ରିକେଟରେ ନିଜ କମାଲ ଦେଖାଇବା ପରେ ଧୋନୀଙ୍କୁ ଟିସି ଚାକିରି ଦିଆଯାଇଥିଲା । ଚାକିରି ସହ ଖେଳ ମଧ୍ୟ ଜାରି ରଖିଥିଲେ ଧୋନୀ । ହେଲେ ଚାକିରିରେ ତାଙ୍କ ମନ ଲାଗିନଥିଲା । ଟିମ ଇଣ୍ଡିଆରେ ସାମିଲ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସେ ଚାକିରି ଛାଡି ଖେଳରେ ମନ ଦେଇଥିଲେ । ଆଉ ଯାହା ତାଙ୍କୁ ଆଜି ଏହି ସଫଳତା ଦେଇଛି ।

୨୦୦୪ ମସିହାରେ ଧୋନୀ ଟିମ ଇଣ୍ଡିଆରେ ଚୟନ ହୋଇଥିଲେ । ୨୩ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ସେ ଟିମରେ ଡେବ୍ୟୁ କରିଥିଲେ । ଆଉ ନିଜ ପ୍ରଦର୍ଶନ ବଳରେ ସେ ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଥିଲେ । ଆଉ ୨୦୦୭ରେ ତାଙ୍କୁ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଆଉ ସେହି ବର୍ଷ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତି ବିଶ୍ୱବିଜୟୀ ହୋଇଥିଲା ।

କେବଳ ଏହି ମ୍ୟାଚ ନୁହେଁ ଏହାପରେ ୨୦୧୧ରେ ଭାରତକୁ ଦିନିକିଆ ବିଶ୍ୱକପ ମଧ୍ୟ ଦେଇଥିଲେ ଧୋନୀ । ଏହାସହ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଭାରତକୁ ଆଉ ସେ ଏକ ସଫଳତା ଦେଇଥିଲେ । ୱିକେଟ ପଛରେ ଠିଆ ହୋଇ ସେ ନିଜ ବିଚକ୍ଷଣ ବୁଦ୍ଧିରେ ବିପକ୍ଷ ଦଳକୁ ମାତ ଦେଉଥିଲେ । ଆଉ ନିଜ ଦକ୍ଷତା ବଳରେ ସେ ଟିମ ଇଣ୍ଡିଆକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ।

୧୫ ଅଗଷ୍ଟ ୨୦୨୦ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଧୋନୀ ତାଙ୍କ କ୍ୟାରିୟରରେ ୩୫୦ ଦିନିକିଆ ଖେଳି ୧୦,୭୭୩ ରନ କରିଥିଲେ ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ରହିଛି । ସେହିପରି ୯୦ଟି ଟେଷ୍ଟ ଖେଳି ୪୮୭୬ ରନ ଓ ୯୮ଟି ଟି-୨୦ ଖେଳି ୧୬୧୭ ରନ କରିଛନ୍ତି । ଧୋନୀ ଟିମ ଇଣ୍ଡିଆରୁ ଅବସର ନେଇ ସାରିଛନ୍ତି ସତ ହେଲେ ଏବେ ବି ତାଙ୍କ ଖେଳକୁ ଝୁରୁଛନ୍ତି ଫ୍ୟାନ ।