ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ: ୯୨ ବର୍ଷରେ ପାଦ ଦେଲେ ସ୍ୱର ସାମ୍ରାଜ୍ଞୀ

249

କନକ ବ୍ୟୁରୋ: ତାଙ୍କର କିଛି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସୁର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ ।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତ ରତ୍ନ ଲତା ମଙ୍ଗେସକର । ହଁ ଆଜ୍ଞା ଆଜି ହେଉଛି ଲତା ମଙ୍ଗେସକରଙ୍କ ଜନ୍ମଦିନ । ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା ।

ଲତାମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥାଏଟର ଆର୍ଟିଷ୍ଟ ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର ।

୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମାରଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।

୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବ ବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

୧୯୫୮ ମସିହାରେ- ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ
୧୯୬୯ ମସିହାରେ- ପଦ୍ମ ଭୂଷଣ
୧୯୮୯ ମସିହାରେ- ଦାଦା ସାହେବ ଫାଲକେ ଆୱାର୍ଡ
୧୯୯୩ ମସିହାରେ- ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭ ମସିହାରେ- ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ ମସିହାରେ- ପଦ୍ମ ବିଭୂଷଣ
୨୦୦୧ ମସିହାରେ- ଭାରତ ରତ୍ନ
୨୦୦୯ ମସିହାରେ- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ଆମ ସମସ୍ତଙ୍କୁ ଜଣା । ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ କନକ ନ୍ୟୁଜ ପରିବାର ତରଫରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା