ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।

135

କନକ ବ୍ୟୁରୋ : ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ରହିଛି । ନିକ୍ଷୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବଲିଉଡର ଛୋଟେ ମିଆଁଙ୍କ ଆଜି ଜନ୍ମ ଦିନ । ଆଜି ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ଗୋବିନ୍ଦା ଫିଲ୍ମରୁ ଦୂରେଇଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି ।

ଫିଲ୍ମରେ ତାଙ୍କୁ ଡ୍ୟାନ୍ସ ଶିଖାଇବାର ଆବଶ୍ୟକତା ପଡି ନଥାଏ । କାରଣ ତାଙ୍କ ଭିନ୍ନ ଶୈଳୀର ଡ୍ୟାନ୍ସ ଓ ଆକ୍ସନ ପାଇଁ ସେ ଅନେକଙ୍କୁ ଦିୱାନା କରିଛନ୍ତି । ଆଉ ତାଙ୍କ ଅଭିନୀତ ଗୀତ ଗୁଡିକ ମଧ୍ୟ ବେଶ ମନଛୁଆଁ । ତାଙ୍କ ଅଭିନୀତ ଗୀତ ଗୁଡିକ ହେଲା ସୁନୋ ମିଆଁ, ଲାଲ ଦୁପଟା ବାଲି, କିସି ଡିସ୍କୋମେଁ ଯାଏଁ, ଓଏ ରାଜୁ, ଆଖିଓଁ ସେ ଗୋଲି ମାରେ ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ଗୋବିନ୍ଦାଙ୍କ ପୂରା ନାଁ ଗୋବିନ୍ଦ ଅରୁଣ ଆହୁଜା । ଜନ୍ମ ୨୧ ଡିସେମ୍ବର ୧୯୬୩ ମସିହା ମୁମ୍ବାଇରେ । ଗୋବିନ୍ଦାଙ୍କ ବାପା ଅରୁଣ କୁମାର ଅହୁଜା ଓ ମା ହେଉଛନ୍ତି ନିର୍ମଳା ଦେବୀ । ତାଙ୍କ ବାପା ମା ଉଭୟ ଫିଲ୍ମ ସହ ଜଡିତ । ବାପା ଅରୁଣ ଆହୁଜା ଏକ ହି ରାସ୍ତା ଓ ଔରତ ଭଳି ଫିଲ୍ମରେ ଅଭିନୟ କରିଥିଲେ । ପରେ ସେ ନିଜର ଏକ ଫିଲ୍ମ ପ୍ରଡ୍ୟୁସ କରିଥିଲେ । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ବୁଡି ଯାଇଥିଲା । ଏହାପରେ ତାଙ୍କ ପରିବାରକୁ ଆର୍ଥିକ ସମସ୍ୟା ଘାରିଥିଲା ।

ପରିବାରର ଅବସ୍ଥା ବିଗିଡିବା ସହ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରିବାର ଚଳାଇବା ପାଇଁ ଆଉ ପିଲାମାନଙ୍କୁ ପଠାପଢାଇବା ପାଇଁ ଶେଷରେ ଗୋବିନ୍ଦାଙ୍କ ମା କାମ କରିଥିଲେ । ପାରିବାରିକ ସମସ୍ୟା ଭିତରେ କମର୍ସରେ ଗ୍ରାଜୁଏସନ ସେଷ କରିଥିଲେ ଗୋବିନ୍ଦା । ହେଲେ ତାଙ୍କୁ କେଉଠି ଚାକିରି ମିଳିନଥିଲା । ପରେ କିଛି ଲୋକ ତାଙ୍କୁ ଫିଲ୍ମରେ ଆସିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ‘ତନ ବଦନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ବି ପଛକୁ ଫେରିନଥିଲେ । ଦୁହ୍ଲେ ରାଜା, ହଦ କରଦି ଆପନେ, ଆଖେଁ, ରାଜା ବାବୁ, ଜୋଡି ନମ୍ବର ୧, ସ୍ୱର୍ଗ, ସୋଲା ଓର ସବନମ, ବଡେ ମିଆଁ ଛୋଟେ ମିଆଁ, କୁଆଁରା ଓ ହିରୋ ନମ୍ବର ୱାନ ଭଳି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଗୋବିନ୍ଦା ।

ଏହାରି ମଧ୍ୟରେ ଗୋବିନ୍ଦା ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୧୧ ମାର୍ଚ୍ଚ ୧୯୮୭ ମସିହାରେ ଗୋବିନ୍ଦା ସୁନିତା ଆହୁଜାଙ୍କୁ ବିବାହ କରିଥିଲେ । ଗୋବିନ୍ଦାଙ୍କ ଗୋଟିଏ ପୁଅ ୟଶବର୍ଦନ ଆହୁଜା ଓ ଝିଅ ଟିନା ଆହୁଜା । ୨୦୦୪ରେ ଗୋବିନ୍ଦା କଂଗ୍ରେସରେ ଯୋଗ ଦେଇଥିଲେ । ଏହାସହ ମୁମ୍ବାଇରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ହେଲେ ୨୦୦୮ରେ ସେ ରାଜନୀତି ଛାଡି ପୁଣି ଫିଲ୍ମ ଦୁନିଆରେ ପ୍ରବେଶ କରିଛନ୍ତି ।