କନକ ବ୍ୟୁରୋ : ୧୯୪୮, ଏପ୍ରିଲ୍ ୧୩ ତାରିଖ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଭୁବନେଶ୍ୱରଠାରେ ଓଡ଼ିଶାର ନୂଆ ରାଜଧାନୀର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ଏହାରି ଭିତରେ ବିତିଯାଇଛି ୭୫ ବର୍ଷ । ଅନେକ ଝଡ଼ଝଂଝା, ଅନେକ ପରୀକ୍ଷାନିରୀକ୍ଷା ପରେ ଗଢ଼ି ଉଠିଛି ସହର । ନୂଆ-ପୁରୁଣା ଭୁବନେଶ୍ୱର ଭିତରେ ସଂପ୍ରସାରଣ ହୋଇଚାଲିଛି ରାଜ୍ୟର ରାଜଧାନୀ । ଦେଶର ୧ ନମ୍ବର ସ୍ମାର୍ଟ ସିଟି ।

Advertisment

ସେଦିନର ଭୁବନେଶ୍ୱର, ଆଜିର ଭୁବନେଶ୍ୱର ଭିତରେ କେବଳ ଯେ କୋଠାବାଡ଼ି, ରାସ୍ତାଘାଟ, ହସପିଟାଲ୍, ଶିକ୍ଷାନୁଷ୍ଠାନର କଳେବର ବଢ଼ିଛି, ତାହାନୁହେଁ, ବଦଳିଛି ଲୋକଙ୍କ ଜୀବନ ଶୈଳୀ ଓ ଆଚାର-ବିଚାର । ସେଦିନର ଭୁବନେଶ୍ୱର ଓ ଆଜିର ଭୁବନେଶ୍ୱର; କଳାଧଳାରୁ ରଙ୍ଗୀନ ହୋଇଛି, କେବଳ ଫଟୋରେ ନୁହେଁ, ବଦଳିଛି ଜୀବନର ପ୍ରତିଛବି ।

୧୯୪୮ ମସିହାରେ ଲିଙ୍ଗରାଜ ମନ୍ଦିରର ଚିତ୍ର ଓ ବର୍ତମାନର ଚିତ୍ର ମଧ୍ୟରେ ଫରକ । ୧୯୬୦ ମସିହାରେ ମାର୍କେଟ ବିଲ୍ଡିଂ ଯେପରି ଥିଲା, ଆଜି ତା’ର କଳେବର ବଦଳି ଯାଇଛି । ୧୯୬୬ର ରାଜମହଲ ଓ ଏବେକାର ରାଜମହଲର ରୂପରେଖ ଭିତରେ ରହିଛି ଆକାଶ ପାତାଳ ପ୍ରଭେଦ । ପୁରୁଣା ଭୁବନେଶ୍ୱର ହେଉ କି ଜନପଥ, ତୁଳନାତ୍ମକ ଚିତ୍ର ଦେଖିଲେ ଜଣାପଡିବ କିପରି ରାଜଧାନୀର ହୋଇଛି ବିବର୍ତନ । ଏପରିକି ୨୦୦୫ ମସିହାର ରବିଟକିଜ୍ ଅଞ୍ଚଳ ବର୍ତ୍ତମାନଠାରୁ ଅନେକ ଭିନ୍ନ । ଦିନ ଗଡ଼ିବା ସହ ରାଜଧାନୀର ଆକର୍ଷଣ ବଢ଼ିଛି । ଅନେକ ସମସ୍ୟା ରହିଛି, ଡ୍ରେନେଜ ଠାରୁ ଆରମ୍ଭ କରି କଂକ୍ରିଟର ଗଦା ଭିତରେ ଜୀବନ ରୁନ୍ଧି ହୋଇଯାଇଛି, କିନ୍ତୁ ସବୁ ସମସ୍ୟଳ ଭିତରେ ବି ବାରି ହୋଇ ପଡ଼ିଥାଏ ଭୁବନେଶ୍ୱରର ମହକ ।

କଳିଙ୍ଗ ଷ୍ଟାଡିୟମରେ ଦୁଇ ଦୁଇ ଥର ସଫଳତାର ସହ ହକି ବିଶ୍ୱକପ ଅନୁଷ୍ଠିତ ହୋଇଛି । ଏଥିପାଇଁ କେବଳ ଦେଶରେ ନୁହେଁ, ଏବେ ସାରାବିଶ୍ୱରେ ଭୁବନେଶ୍ୱରକୁ ନେଇ ଚର୍ଚ୍ଚା ହୋଇଛି । ପୂର୍ବ ଭାରତରେ ଆଇଟି ହବ୍ ଭାବେ ପରିଚୟ ପାଇଛି ଭୁବନେଶ୍ୱର । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବାରେ ବହୁତ ଆଗକୁ ଯାଇଛି ରାଜଧାନୀ ।

ଭୁବନେଶ୍ୱରର ରହିଛି ହଜାର ହଜାର ବର୍ଷର ଇତିହାସ । ଶିଶୁପାଳଗଡ଼ ଥିଲା ଏହାର ରାଜଧାନୀ । ଏହାରି ଉପକଣ୍ଠ ଦୟାନଦୀ କୂଳରେ ହୋଇଥିଲା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ଆଉ ଏହି ମାଟିରେ ସମ୍ରାଟ ଅଶୋକ, ଚଣ୍ଡାଶୋକରୁ ପରିଣତ ହୋଇଥିଲେ ଧର୍ମାଶୋକରେ । ଦେଶ ସ୍ୱାଧୀନତା ପାଇବା ପରେ କଟକ ଥିଲା ଏହାର ଓଡ଼ିଶାର ରାଜଧାନୀ । ୧୯୪୮ମସିହାରେ ଭୁବନେଶ୍ୱର ସହରର ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ରାଜଧାନୀ ସହରର ନକ୍ସା ତିଆରି କରିଥିଲେ ସେତେବେଳେ ବିଶ୍ୱର ସୁନାମଧନ୍ୟ ସ୍ଥପତି ତଥା ଜର୍ମାନର ଟାଉନପ୍ଲାନର ଓଟ୍ଟୋ କୋଏନିଗସବର୍ଗର ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ଓଟ୍ଟୋ କୋଏନିଗସ୍ବର୍ଗରଙ୍କ ଫଟୋ । ରାଜଧାନୀ ହେବା ପରେ ଆଉ ପଛକୁ ଫେରି ଚାହିଁନି ଭୁବନେଶ୍ୱର । ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ହେଉଛି ଭୁବନେଶ୍ୱର । ସହର ଭିତରେ ମାଳ ମାଳ ମନ୍ଦିର । ଉତ୍କଳୀୟ ସଂସ୍କୃତିକୁ ଯେପରି ଏହି ସହର ସାଇତି ରଖିଛି, ସେହିପରି ଆଧୁନିକ ଜୀବନ ଶୈଳୀକୁ ଆପଣାଇ ନେଇଛି । ଅତୀତ ଓ ବର୍ତ୍ତମାନର ସୁନ୍ଦର ମିଶ୍ରଣ ହେଉଛି ଭୁବନେଶ୍ୱର ।