ହାପି ବାର୍ଥ ଡେ’ ଭୁବନେଶ୍ୱର । ଆଜି ରାଜଧାନୀକୁ ପୂରିଲା ୭୫ ବର୍ଷ । ଆଜିର ଦିନରେ ରାଜଧାନୀର ମାନ୍ୟତା ପାଇଥିଲା ଭୁବନେଶ୍ୱର ।

656

କନକ ବ୍ୟୁରୋ: କିଏ ଭୋନ୍ସର କହେ, ତ ଆଉ କିଏ କ୍ୟାପିଟାଲ । କିଏ ସ୍ମାଟସିଟି କହେ, ତ ଆଉ କିଏ କେତେକଣ? ଲୋକମୁହଁରେ ସେ ଅନେକ ନାଁକୁ ନେଇ ପରିଚିତ ହେଇପାରେ , ତାର ଅନେକ ନାଁ ଥାଇପାରେ । ହେଲେ ଭୋନ୍ସରିଆଙ୍କ ଭାଷାରେ ଏ ସହର ହେଉଛି ଭିଡର ସହର, ଭିଡର ଭିତରେ ଭଲପାଇବାର ସହର ।

ରାତି ପାହି ସକାଳ ହେଲେ, ସୁରୁଜ ଉଇଁଲେ, ନିଦରୁ ଉଠେ ଭୁବନେଶ୍ୱର । ଗାଡି ମୋଟରର କେଁ କାଁ ଶବ୍ଦ, ଅଜଗର ଭଳି ଶୋଇ ରହିଥିବା ରାଜଧାନୀର ନିଦ ଭାଙ୍ଗିଦିଏ । ଆଉ ତାପରେ… ସକାଳର ଖବରକାଗଜ , ଓମଫେଡର ଉଷୁମ ଚା କପ୍ , ପାର୍କରେ ମଣ୍ଣିଂ ୱାର୍କ । ସତରେ, ଭୁବନେଶ୍ୱରରେ ସକାଳ, ସବୁଠୁ ନିଆରା ।

ଭୁବନେଶ୍ୱରରେ ସୁରୁଜ ଉଇଁବା ସହ, ପେଟ ପାଇଁ ନାଟ ବି ଆରମ୍ଭ ହେଇଯାଏ । ମାଲିକ ଅଫିସ୍ ଧାଏଁ, ଶ୍ରମିକ ଧାଏଁ ଲେବର ଷ୍ଟାଣ୍ଡ । ଜୟଦେବ ବିହାର, ହେଉ କି ଆଚାର୍ଯ୍ୟବିହାର । ପଟିଆ ହେଉ କି ଖଣ୍ଡଗିରି । ଟ୍ରାଫିକର ନାଲି ଲାଇଟ୍ ଭୋନ୍ସରିଆଙ୍କୁ ସିନା ଅଟକେଇ ରଖେ, ହେଲେ ଦିନସାରା କିନ୍ତୁ ଘୋଡାର ରେସ୍ ଭଳି ଦୌଡି ଚାଲିଥାଏ ଭୋନ୍ସର । ବୈଶାଖର ଟାଣ ଖରା ହେଉ, କି ଶ୍ରାବଣର ଅବିଶ୍ରାନ୍ତ ବର୍ଷା । କେହି ବି ଭୁବନେଶ୍ୱର ବାଟ ରୋକିପାରେନା. କେହି ବି ତାକୁ ଅଟକେଇ ପାରେନା ।

ଏ ତ ଥିଲା ରାଜଧାନୀର ଦିନଚର୍ଯ୍ୟା । ହେଲେ ରାଜଧାନୀର ରାତି, ଖାଲି ଗୋଟେ ରାତି ନୁହେଁ, ରାଜଧାନୀର ପ୍ରତିଟି ରାତି ଗୋଟେ ଗୋଟେ ସ୍ମୃତି । କହନ୍ତି, ରାତି ହେଲେ ସାରା ରାଇଜର ଅନ୍ଧାର ଏକାଠି ହୁଏ ଏଇ ସହରରେ । ଏଇଠି ହିଁ ଅସ୍ତ ଯାଏ ସୂର୍ଯ୍ୟ, ଆଉ ଏଇଠି ହିଁ ଉଦୟ ନିଏ ଚାନ୍ଦ । ଦିନର ସାରାର ଧାଁ ଦଉଡ ଆଉ ଖଟଣି ପରେ, ରାତି ହେଲେ ରାଜଧାନୀର ସ୍ନାୟୁତନ୍ତ୍ର ହେଇପଡେ ଅବସନ୍ନ । ଆଉ ଟାଇଲର ଚଟାଣ ଉପରେ ଶୀତଳ ବାୟୁର ଚାଦର ପାରି, ଗୁମ୍ ମାରି ଆରାମ୍ ନିଏ ରାଜଧାନୀ ।

କହନ୍ତି, ରାଜଧାନୀ ରାତିର ସଂଜ୍ଞା କେବଳ ଅନ୍ଧକାର ନୁହେଁ । ରାଜଧାନୀରେ ଅନ୍ଧାର ହେଇପଡେ ଅସହାୟ । ମ୍ୟୁନିସିପାଲଟିର ଲ୍ୟାମ୍ପ ପୋଷ୍ଟ ଏଠି ରାତିକୁ ଦିନ କରେ । ରାସ୍ତାକୁ ଚିକଚିକ୍ କରେ । ରାଜଧାନୀରେ ରାତି ଦିନର ଭ୍ରମ ସୃଷ୍ଟି କରେ ।

ରାଜଧାନୀ ଲାଇଫର ଏ ତ ଥିଲା ଗୋଟିଏ ଦିନ, ହେଲେ ରାଜଧାନୀ ହେବା ପରଠୁ, ଏହା ଭିତରେ ଏମିତି ୨୭ ହଜାରରୁ ଅଧିକ ଦିନ ଆଉ ରାତିକୁ ଦେଖିସାରିଲାଣି ଭୁବନେଶ୍ୱର । ଏହା ଭିତରେ ୯୦୦ ମାସ, ୪ ହଜାର ସପ୍ତାହ ବିତିଯାଇଥିବାବେଳେ । ୬ ଲକ୍ଷରୁ ଅଧିକ ଘଣ୍ଟା ଜିଇସାରିଲାଣି ରାଜଧାନୀ । ଆଜି ରାଜଧାନୀକୁ ପୂରିଛି ୭୫ ବର୍ଷ । ଆଜିର ଦିନରେ ଓଡିଶାର ରାଜଧାନୀ ମାନ୍ୟତା ପାଇଥିଲା ଆମ ଭୁବନେଶ୍ୱର । ତେଣୁ ଆସନ୍ତୁ, ସମସ୍ତେ ଏକାଠି ହେଇ କହିବା …. ହାପି ବାର୍ଥ ଡେ ଭୁବନେଶ୍ୱର ।