୭୯ ବର୍ଷରେ ବଲିଉଡର ବାଦଶାହ : ଅମିତାଭଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା

ସୋସିଆଲ ମିଡିଆରେ କୋଟି କୋଟି ଫଲୋଅର ; ପୁରୀ ବେଳାଭୂମିରେ ବାଲୁକା କଳାରେ ଜନ୍ମଦିନର ଶୁଭେଚ୍ଛା

116

କନକ ବ୍ୟୁରୋ : ୭୯ ବର୍ଷରେ ବଲିଉଡର ବାଦଶାହ ଅମିତାଭ ବଚ୍ଚନ । ଆଜି ଏହି ବୟସରେ ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ ପାଲଟିଛନ୍ତି । ୧୯୦ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଅନେକ ସିରିଏଲ, ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଅମିତାଭଙ୍କ ଟିଭି ଶୋ କୌନ ବନେଗା କରୋଡପତି ବେଶ ଲୋକପ୍ରିୟତା ସାଉଁଟିଛି । ୟୁପିର ପ୍ରୟାଗରାଜରେ ୧୯୪୨ ମସିହାର ଆଜିର ଦିନରେ ଅମିତାଭ ଜନ୍ମଗ୍ରହଣ କରିଥିଲେ ।

ଜୀବନର ଅନେକ ଉତଥାନ, ପତନ ଦେଖିଥିବା ଅମିତାଭଙ୍କ ଦେଶ ଓ ବିଦେଶରେ କୋଟି କୋଟି ପ୍ରଂଶସକ ଅଛନ୍ତି । ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ଲଗାତାର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ ବିଗ ବି । ତେବେ ପିଲ୍ମ ଜଞ୍ଜିର ସୁପର ଡୁପର ହିଟ ହେବା ପରେ ତାଙ୍କ କ୍ୟାରିୟରର ମୋଡ ବଦଳିଯାଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳତାର ସବୁ ରେକର୍ଡ ଭାଙ୍ଗିଥିଲା । ଏହାପରେ ଅନେକ ସୁପରହିଟ ଫିଲ୍ମ ଦେଇ ସେ ବଲିଉଡର ବାଦଶାହ ବନିଯାଇଥିଲେ । ଅମିତାଭଙ୍କୁ ବଲିଉଡର ସବୁଠାରୁ ସଫଳ ଅଭିନେତା ବୋଲି କୁହାଯାଏ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବାଲୁକା କଳା ମାଧ୍ୟମରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

୧୯୬୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରୁ ଅମିତାଭ ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ, ବିନା ଅଧ୍ୟବସାୟରେ ତାଙ୍କୁ ପ୍ରସିଦ୍ଧି ତାଙ୍କୁ ମିଳି ନ ଥିଲା । ନିର୍ଦେଶକ ପ୍ରକାଶ ମେହେରାଙ୍କ ‘କ୍ରାଇମ୍‌ ଥ୍ରିଲର୍‌’ ‘ଜଞ୍ଜିର୍‌’ ସିନେମାରେ ପୁଲିସ୍‌ ଇନ୍‌ସ୍‌ପେକ୍ଟର୍‌ ବିଜୟ ଭୂମିକାରେ ଅଭିନୟ କରି ଭାରତୀୟ ଚଳଚ୍ଚିତ୍ର ଜଗତ୍‌ରେ ‘ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌’ ଧାରା ସୃଷ୍ଟି କରିବା ପୂର୍ବରୁ ତାଙ୍କ ଅଭିନୀତ କେତେଗୁଡ଼ିଏ ଚଳଚ୍ଚିତ୍ର ବ୍ୟାବସାୟିକ ସଫଳତା ହାସଲ କରିପାରି ନ ଥିଲା । ଅମିତାଭଙ୍କୁ ୩୦ ବର୍ଷ ହେବା ବେଳକୁ ତାଙ୍କର ୧୨ଟି ଚଳଚ୍ଚିତ୍ର ‘ଫ୍ଲପ୍‌’ ହେବା ସହ ମାତ୍ର ୨ଟି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା । ସେ ଦୁଇଟି ଥିଲା ‘ବମ୍ବେ ଟୁ ଗୋଆ’ ଏବଂ ‘ଆନନ୍ଦ’। ଜଣେ ନୂଆ ‘ହିରୋ’ ଭାବେ ତାଙ୍କର ଦୁର୍ନୀତି ବିରୋଧୀ ‘ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌’ ରୂପକ ଅଭିନୟ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚଳିତ ଧାରାକୁ ବଦଳାଇ ଦେଇଥିଲା ।

‘ଜଞ୍ଜିର୍‌’ ପରେ ପରେ ୧୯୭୦ ରୁ ୮୦ ଦଶକ ମଧ୍ୟରେ ସଲିମ୍‌-ଜାେଓ୍ଵଦ୍‌ଙ୍କ ଲିଖିତ ‘ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌’ ଚରିତ୍ର ଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅମିତାଭ ଅବିସ୍ମରଣୀୟ ଅଭିନୟ କରିଛନ୍ତି । ସେଥିରୁ ପ୍ରାୟ ସବୁଗୁଡ଼ିକ ‘ସୁପର୍‌ ହିଟ୍‌’ ହୋଇଥିଲା । ‘ଦିଓ୍ଵାର୍‌’, ‘ସିଲ୍‌ସିଲା’, ‘ୟାରାନା’, ‘ଡନ୍‌’, ‘ସୋଲେ’ ସାହେନ୍‌ଶାହ୍‌’, ‘ଆନନ୍ଦ’, ‘ଅଭିମାନ’ ‘କଭି ଖୁସି କଭି ଗମ୍‌’ ଏବଂ ଆହୁରି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ହୋଇପାରିଛି । ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦ୍‌ରେ ଜନ୍ମିତ ଅମିତାଭ ବଚ୍ଚନ ୪ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହାଛଡ଼ା, ୧୯୮୪ରେ ସେ ‘ପଦ୍ମଶ୍ରୀ’ ଏବଂ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ଭୂଷିତ ହୋଇଛନ୍ତି । ତାଙ୍କର ମାଆ ଥିଲେ ସାମାଜିକକର୍ମୀ ତେଜି ବଚ୍ଚନ ଏବଂ ବାପା ଖ୍ୟାତନାମା ହିନ୍ଦୀ କବି ହରିବଂଶ ରାୟ ବଚ୍ଚନ ।