୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ : ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଭୁବନେଶ୍ୱର

158

କନକ ବ୍ୟୁରୋ : ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା । ଆଜି ୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ । ବିଗତ ବର୍ଷମାନଙ୍କରେ ଅନେକ ପ୍ରାକୃତ୍ରିକ ବିପର୍ଯ୍ୟୟର ମୁକାବିଲା କରି ଏବଂ ବାଧାବିଘ୍ନକୁ ଅତିକ୍ରମ କରି କ୍ରମଶଃ ସମୃଦ୍ଧ ହେଉଛି ଭୁବନେଶ୍ବର। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନୂଆ ରୂପରେ ପରିଚିତ ହୋଇଛି। ଏକଦା ବଣ, ପାହାଡ଼ ଘେରା, ଶଗଡ଼ ଗୁଳାର ରାସ୍ତା ଥିବା ରାଜଧାନୀ ଏବେ ସ୍ମାର୍ଟ ସିଟି ପାଲଟିଛି। ଚକାଚକ୍ ରାସ୍ତା, ବଡ଼ବଡ଼ ଫ୍ଲାଏଓଭର ହୋଇଛି । ବିଶ୍ବସ୍ତରୀୟ ରେଳ ଷ୍ଟେସନ, ବସଷ୍ଟାଣ୍ଡ ନିର୍ମାଣ ହେଉଛି । ଏକ ବିକଶିତ ସହରରେ ପରିଣତ ହେବାର ସ୍ବପ୍ନ ଦେଖୁଥିବା ରାଜଧାନୀରେ ଅନେକ ବିକାଶମୂଳକ କାମ ଚାଲିଛି ।

କେବଳ ଖଣ୍ଡଗିରି, ଉଦୟଗିରି, ଶ୍ରୀ ଲିଙ୍ଗରାଜ ମନ୍ଦିର, ଧଉଳି କି ଶିଶୁପାଳଗଡ଼ର ଇତିହାସକୁ ନେଇ ଭୁବନେଶ୍ବରର ପରିଚୟ ସୀମିତ ନାହିଁ। ବିଶ୍ବ ଦରବାରରେ ଭୁବନେଶ୍ବର ଶିକ୍ଷା ହବ୍, ଆଇଟି ହବ୍‌ର ପରିଚୟ ପାଇଛି । ଆଇଆଇଟି,ଏମ୍‌ସ, ନାଇଜର୍‌, ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, କିଟ୍‌ ଓ ସୋଆର ଛାତ୍ରଛାତ୍ରୀ ଭୁବନେଶ୍ବର ପାଇଁ ନୂଆ ପରିଚୟ ସୃଷ୍ଟି କଲେଣି। ପୁରୁଷ ହକି ବିଶ୍ବକପ୍‌, ଏସିଆନ୍ ଆଥ୍‌ଲେଟିକ ଗେମ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ପାଲଟି ଯାଇଛି। ବିଶ୍ବ ମାନଚିତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରାଜଧାନୀ ଭୁବନେଶ୍ବର ଯେ ଆଗାମୀ ଦିନରେ ସମୃଦ୍ଧି ପଥରେ ଆହୁରି ଅନେକ ଆଗକୁ ବଢ଼ିବ ଏଥିରେ ସନ୍ଦେହ ନାହିଁ। ଆଜି ରାଜଧାନୀର ୭୩ତମ ପ୍ରତିଷ୍ଠା ଦିବସରେ ବିଶ୍ବଜିତ ଦାଶଙ୍କ ସ୍ବତନ୍ତ୍ର ପ୍ରତିବେଦନ।

୧୯୩୩ ମସିହାରେ ଓଡ଼ିଶା ପ୍ରଶାସନିକ କମିଟି ରାଜଧାନୀ ସ୍ଥାପନ ପାଇଁ କଟକସ୍ଥିତ ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ପ୍ରସ୍ତାବିତ ରିପୋର୍ଟ ସରକାରଙ୍କୁ ଦେଇଥିଲା। କିନ୍ତୁ କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ଏଠାରେ ରାଜଧାନୀ ପ୍ରତିଷ୍ଠା କରିବା ସୁବିଧାଜନକ ହେବ ନାହିଁ ବୋଲି ବ୍ରିଟିସ ସରକାର ଅନୁଭବ କରିଥିଲେ। ଆଉ ଚାଉଳିଆଗଞ୍ଜ ପ୍ରସ୍ତାବ କାଟ୍‌ ଖାଇଥିଲା। ପରେ ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ବ୍ରିଟିସ ସରକାର ଜୋନ୍‌ସ କମିଟି ଗଠନ କଲେ ।

ଜୋନ୍‌ସ କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ତା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବା ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ତଳୀ ଗଠନ କରାଯାଇ ଅନୁଧ୍ୟାନ କରାଯାଇଥିଲା । ଏହି ନୂତନ କମିଟି କିନ୍ତୁ ରଙ୍ଗେଇଲୁଣ୍ତାରେ ରାଜଧାନୀ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲା । ଏହାପରେ ସରକାର ଡ୍ୟାନ୍‌ କମିଟି ଗଠନ କଲେ । ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଦେଖାଦେବାରୁ ଏହାକୁ ମଧ୍ୟ ବାତିଲ୍‌ କରିଦିଆଗଲା ।

ବିଭିନ୍ନ ସମୟରେ କଟକ, ଚୌଦ୍ବାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ନୂତନ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଉଠିଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଯୋଜନା ବିଭାଗ ଏବ˚ ଏହି ବିଭାଗର ଉପଦେଷ୍ଟା ମଣ୍ତଳୀର ମିଳିତ ଉଦ୍ୟମରେ ଭୁବନେଶ୍ବର ଓ ମଞ୍ଚେଶ୍ବର ମଧୢବର୍ତ୍ତୀ ସ୍ଥାନକୁ ରାଜଧାନୀ ସ୍ଥାପନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବଛାଗଲା । ଶେଷରେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ହେବ ବୋଲି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବଟି ତାଙ୍କ ମନ୍ତ୍ରିମଣ୍ତଳରେ ଏବ˚ ପରେ ପରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ୧୯୪୬ରେ ଜର୍ମାନୀ ସ୍ଥପତି ଓଟୋ.ଏଚ୍‌. କୋନିଗ୍‌ସବର୍ଗର ଭୁବନେଶ୍ବର ଆସି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ରାଜଧାନୀର ନକ୍ସା ପ୍ରସ୍ତୁତ କଲେ । ୧୯୪୮ ଏପ୍ରିଲ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।