କନକ ବ୍ୟୁରୋ: ଆଜି ଚୀର ସବୁଜ ଅଭିନେତା ରଜନୀକାନ୍ତଙ୍କ ଦିନ । ଆଜି ୭୧ ବର୍ଷରେ ପାଦ ଦେଇଛନ୍ତି ଦିବଙ୍ଗତ ରଜନୀକାନ୍ତ । ବୟସ ବଢିଚାଲିଛି ହେଲେ ତାଙ୍କ ଉପରେ ପଡିନି କିଛି ପ୍ରଭାବ । ଆଜି ମଧ୍ୟ ସେ ଲକ୍ଷଲକ୍ଷ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଫିଲ୍ମ ଦେଖିବାକୁ ଯେମିତି ପାଗଳ ଦର୍ଶକେ । ଆଜି ଜନ୍ମଦିନରେ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛାର ସୁଅ ।
ଫିଲ୍ମ ପ୍ରଯୋଜକ ନିଜର କୌଣସି ମୁଭିକୁ ରିଲିଜ କରିବାକୁ ଛୁଟି ଦିନ କିମ୍ବା କୌଣସି ପାର୍ବଣ ଦିନକୁ ବାଛିଥାନ୍ତି । ଫଳରେ ଅଧକରୁ ଅଧିକ ଦର୍ଶକ ଏହି ଫିଲ୍ମୁ ଦେଖିପାରିବେ । ହେଲେ ରଜନୀକାନ୍ତ ଏପରି ଜଣେ ଅଭିନେତା ,ଯାହାଙ୍କ ଫିଲ୍ମ ରିଲିଜ ହେଲା ମାତ୍ରେ ଛୁଟି ଆପେ ଆପେ ହୋଇଯାଏ । ଯାହାଙ୍କୁ ଲୋକେ ଜଣେ ସୁପରଷ୍ଟାର ନୁହେଁ ବରଂ ଦକ୍ଷିଣ ଭାରତରେ ଲୋକେ ତାଙ୍କୁ ଭାଗବାନଙ୍କ ଅନ୍ୟ ରୂପ ବୋଲି ମନେକରନ୍ତି । ଏପରିକି ଦକ୍ଷିଣ ଭାରତରେ ତାଙ୍କ ନାଁରେ ମନ୍ଦିର ମଧ୍ୟ ରହିଛି । କହିବାକୁ ଗଲେ ସେ ଜଣେ ଅଦ୍ୱିତୀୟ ଅଭିନେତା ଯାହାଙ୍କ ସ୍ଥାନ ହୁଏତ ଆଉ କେହି ନେଇ ପାରିବେ ନାହିଁ ।
ରଜନୀକାନ୍ତଙ୍କ ଜନ୍ମ ୧୦୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁର ଏକ ମଧ୍ୟବିତ୍ତମରାଠୀତ୍ତ ପରିବାରରେ ହୋଇଥିଲା । ପିଲାବେଳେ ବାପା ମା’ତାଙ୍କ ନାଁ ମରାଠୀ ଛତ୍ରପତି ଶିବାଜୀଙ୍କ ନାଁରେ ଶିବାଜୀରାଓ ଗାଇକୱାଡ ରଖିଥିଲେ । ରଜନୀକାନ୍ତଙ୍କ ବାପା ରାମୋଜୀରାଓ ଗାଇକୱାଡ ଜଣେ ପୋଲିସ କନଷ୍ଟେବଲ ଥିଲେ ଓ ମା’ ଜୀଜାବାଇ ଜଣେ ଗୃହିଣୀ । ୪ ଭାଇଭଉଣୀଙ୍କ ମଧ୍ୟରୁ ରଜନୀକାନ୍ତ ସବୁଠୁ ସାନ ଥିଲେ ।ପିଲାବେଳୁ ପାଠପଢାରେ ଆଗୁଆ ଥିବା ସହ ଖେଳକୁଦରେ ବେଶ ଆଗୁଆ ଥିଲେ ରଜନୀକାନ୍ତ । ମାତ୍ର ୯ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ ।ଏହାପରେ ତାଙ୍କ ପାଠପଢାର ଦାୟିତ୍ୱ ନେଇଥିଲେ ବଡ ଭାଇ । ପଢିବା ପାଇଁ ତାଙ୍କୁ ଶ୍ରୀରାମକୃଷ୍ଣ ମିଶନ ମଠକୁ ପଠାଇଥିଲେ ।ସେଠାରେ ପାଠପଢା ସହ ଭାରତୀୟ ସଂସ୍କୃତି ଓ ବେଦ ଉପନିଷେଦ ଉପରେ ମଧ୍ୟ ବେଶ୍ ଜ୍ଞାନ ଅର୍ଜନ କରିଥିଲେ ରଜନୀକାନ୍ତ । ଏହି ସମୟରେ ତାଙ୍କର ଅଭିନୟର ମୂଳଦୁଆ ପଡିଥିଲା । କାରଣ ବିଦ୍ୟାଳୟରେ କୌଣସି କାର୍ଯ୍ୟକ୍ରମରେ ଅନୁଷ୍ଠିତ ପୌରାଣିକ କଥାରେ ସେ ଅଭିନୟ କରିବାକୁ ଭଲ ପାଉଥିଲେ । ପ୍ରଥମେ ସେ ମହାଭାରତର ଚରିତ୍ର୍ର ଏକଲବ୍ୟଙ୍କ ବନ୍ଧୁଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ଅନେକ ପ୍ରଶଂସା ମିିଳିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପ୍ରସିଦ୍ଧ କବି ଡି.ଆର ବେନ୍ଦ୍ରେ ତାଙ୍କ ଅଭିନୟରେ ଖୁସି ହୋଇ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି ତାଙ୍କ ପିଠି ଥାପୁଡାଇଥିଲେ । ଏହାହିଁ ରଜନୀକାନ୍ତଙ୍କୁ ଦେଇଥିଲା ଅଭିନୟ ପାଇଁ ପ୍ରେରଣା ।ଏହାପରେ ତାଙ୍କର ଆଡମିଶନ ଆଚାର୍ଯ୍ୟ ପବ୍ଲିକ୍ ପାଠଶାଳା ନାମକ ବିଦ୍ୟାଳୟରେ ହୋଇଥିଲା । ଏହି ସମୟରେ ସେ ଏକାଧିକ ନାଟକରେ ଅଭିନୟ କରିବା ସହ ଥିଏଟର ପାଇଁ ମନ ବଳାଇଥିଲେ । ହେଲେ ପରିବାରର ଖରାପ ଆର୍ଥିକ ଅବସ୍ଥା ତାଙ୍କ ଜୀବନର ପଥ ବଦଳାଇଦେଇଥିଲା । ସାମୟିକ ଭାବେ ହେଉ ପଛେ ପରିବାର ପାଇଁ ଛୋଟଛୋଟ କାମ କରିବାକୁ ବାଧ୍ୟ ହୋଇଥିଲେ ରଜନୀକାନ୍ତ ।
ବେଙ୍ଗାଲୁରୁ ଓ ଚେନ୍ନାଇରେ ଛୋଟମୋଟ କାମ କରି ପରିବାର ପାଇଁ ଟଙ୍କା ପଠାଉଥିଲେ ରଜନୀକାନ୍ତ । ବଢେଇ କାମ ଠାରୁ ଆରମ୍ଭ କରି କୁଲି ଯାଏଁ ସବୁ କାମ କରିଛନ୍ତି ।ଏହା ପରେ ବେଙ୍ଗାଲୁରୁ ଟ୍ରାନ୍ସପୋର୍ଟ ସର୍ଭିସରେ କଣ୍ଡକ୍ଟର ପୋଷ୍ଟ ବାହାରିବାରୁ କଣ୍ଡକ୍ଟର ଭାବେ ଯୋଗ ଦେଇଥିଲେ ।ଏହାପରେ ଘରର ଆର୍ଥିକ ସ୍ଥିତି ସମାନ୍ୟ ସୁଧୁରିବାରେ ଲାଗିଲା । ଏହି ସମୟରେ ମାଡ୍ରାସ୍ ଫିଲ୍ମ ଇନଷ୍ଟିଚ୍ୟୁଟ୍ର ଏକ ଆଡମିସନ୍ ନୋଟିସିଫିକେସନ୍ ପାଇଁ ଅଭିନୟରେ କୋର୍ସ କରିବାକୁ ମନ ବଳାଇଲେ । ଏଥିପାଇଁ ଘରଲୋକ ସମର୍ଥନ ନଦେଇଥିଲେ ମଧ୍ୟ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଯିଏ ଅଭିନୟ ପ୍ରତି ତାଙ୍କର ପାଗଳପଣକୁ ଭଲ ଭାବେ ପରଖିସାରିଥିଲେ ତାଙ୍କୁ ସମର୍ଥନର ହାତ ବଢାଇଲେ ଏବଂ ଅଭିନୟରେ ଶିକ୍ଷା ଗ୍ରହଣ କରିବାକୁ ସାହାଯ୍ୟ କଲେ । ଏହାପରେ କଣ୍ଡକ୍ଟରର ଚାକିରି ଛାଡିଦେଇଥିଲେ ରଜନୀକାନ୍ତ ।
ଇନଷ୍ଟିଚ୍ୟୁଟର ଏକ କାର୍ଯ୍ୟକ୍ରମରେ ଏକ ଡ୍ରାମାରେ ତାଙ୍କର ଅଭିନୟକୁ ଦେଖିଥିଲେ ଖ୍ୟାତନାମା ନିର୍ଦ୍ଦେଶକ କେ . ବାଲାଚନ୍ଦ୍ରନ୍ ।ତାଙ୍କର ଅଭିନୟରେ ଏତେ ପ୍ରଭାବିତ ହୋଇଥିଲେ ଯେ, ତୁରନ୍ତ ଏକ ତାମିଲ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେବା ସହ ଭଲ ଭାବେ ତାମିଲ ଶିଖିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ୧୯୭୫ରେ ବାଲାଚନ୍ଦ୍ରନଙ୍କ ତାମିଲ ଫିଲ୍ମ ‘ ଅପୂର୍ବା ରାମଗାଲସେ’ରୁ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ ହୋଇଥିଲା । ସେବେଠାରୁ ଆଉ ପଛକୁ ଚାହିଁନାହାଁନ୍ତି ରଜନୀକାନ୍ତ ।କେବଳ ତାମିଲ ନୁହେଁ ଏକାଧିକ ଭାଷାରେ ୨୦୦ରୁ ଅଧିକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି ରାଜନୀକାନ୍ତ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କ ଅଭିନୟକୁ ମିଳିଛି ମାନ୍ୟତା । ଆଜି ସେ ସଫଳତାର ଶୀର୍ଷରେ ହେଲେ ତାଙ୍କ ବ୍ୟକ୍ତିତ୍ୱ ଉପରେ ପଡିପାରିନାହିଁ ସଫଳତାର ବଡିମାର ଛାପ । ସେ ସବୁବେଳେ ମାଟିର ମଣିଷ । ସେଥିପାଇଁ ତ ଦର୍ଶକେ ତାଙ୍କୁ କେବଳ ଭଲପାଆନ୍ତି ନାହିଁ ବରଂ ପୂଜା କରନ୍ତି ।