ପୁରୁଣା ସାଇକେଲ ଆଣିଲା ଅସରନ୍ତି ଖୁସି । ଘରକୁ ସାଇକେଲ ଆସିବା ପରେ ନାଚି ନାଚି ଖୁସି ମନାଇଲା କୁନି ଝିଅ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

715

କନକ ବ୍ୟୁରୋ : ଖୁସି । ଶବ୍ଦଟା ଶୁଣିବାକୁ ଛୋଟ ହୋଇପାରେ, କିନ୍ତୁ ଏହାର ରହିଛି ବହୁ ବ୍ୟାପକ ଅର୍ଥ । ଅର୍ଥ କାହା ପାଇଁ କେମିତି । କିଏ ଘର କିଣି ଖୁସି ପାଉଛି ତ ଆଉ କିଏ ବଡ ବଡ ହୋଟେଲରେ ଖାଇ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ କୁନି ଝିଅ ମନରେ ଖୁସି ଆସିଛି ଗୋଟିଏ ପୁରୁଣା ସାଇକେଲ ପାଇଁ । ଖୁସିର ଅନେକ ପ୍ରତିଶବ୍ଦ ଥାଇପାରେ । କିଏ ଖୁସିକୁ ଆନନ୍ଦ କହୁଛି ତ’ ଆଉ କିଏ ଉଲ୍ଲାସ । ହେଲେ ଅନୁଭୂତି ସେଇ ଗୋଟିଏ ।

ତେବେ ଏହି ଖୁସିର ଠିକଣା ସବୁବେଳେ ମହଲ ନୁହେଁ । ଆନନ୍ଦ, କେବଳ ଗାଡ଼ି-ଘୋଡ଼ା କରିବାରେ ନଥାଏ । ଖୁସି ମଣିଷର ଏଭଳି ଏକ ଅନୁଭତି ଯାହା ଏକ ପୁରୁଣା ସାଇକେଲରୁ ଆସିପାରେ । ଝୁମ୍ପୁଡ଼ି କୁଡ଼ିଆରେ ବି ବାସ କରେ । ଖୁସି ଖୋଜୁଥିବା ଲୋକଙ୍କ ପାଇଁ ହୁଏତ, ଏହି କୁନି ଝିଅ ରାସ୍ତା ଦେଖାଉଛନ୍ତି ।

ବାପା ଘରକୁ ଏକ ସାଇକେଲ ଆଣିଛନ୍ତି । ନୂଆଁ ନୁହେଁ ପୁରୁଣା ସାଇକେଲ । ହେଲେ ଏହି ନୂଆ-ପୁରୁଣାର ହିସାବ ବୁଝୁନଥିବା କୁନି ଝିଅ ଖୁସିରେ ନାଚି ଉଠୁଛି । କୁଣ୍ଡେମୋଟ ହୋଇଯାଉଛି । ଆଉ ଘର ପାଇଁ ଏକ ନୂଆ ବାହାନଟିଏ ଆସିବା ଖୁସିରେ ବାପା, ସାଇକେଲଟିକୁ ଫୁଲମାଳ ଚଢାଇ, ପାଣି ଛିଞ୍ଚି ପୂଜା କରୁଛନ୍ତି । ଭାରତ ଦିଲ୍ଲୀପ ସିତୋଲେ ନାମକ ଜଣେ ବ୍ୟକ୍ତି ଏହି ଭିଡିଓଟି ଟ୍ୱିଟରରେ ଛାଡ଼ିବା ପରେ ଏକ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।