ଶ୍ରୀରାମଙ୍କ ପାଦ ତଳେ ଚାଲିଗଲା ଜୀବନ । ରାମଲୀଳା ମଞ୍ଚରେ ଗଲା ହନୁମାନ୍ ଚରିତ୍ର ଅଭିନେତାଙ୍କ ଜୀବନ ।

1,164

କନକ ବ୍ୟୁରୋ: ମୃତ୍ୟୁ ତ ଆସିବ ହେଲେ ବେଳେ ବେଳେ ମୃତ୍ୟୁ ଏଭଳି ଆସେ ଯାହାକୁ ସୌଭାଗ୍ୟ ବୋଲି କୁହନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣା ଭିବାନୀ ଜିଲ୍ଲା ଜବାହର ଚୌକ୍ ନିକଟରେ ।

ମଞ୍ଚରେ ଚାଲୁଥିଲା ରାମଲୀଳା । ଦର୍ଶକ ଦେଖୁଥାନ୍ତି ଶ୍ରୀରାମଙ୍କ ନିକଟରେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିଷ୍ଠା ଓ ଭକ୍ତିର ଅଭିନୟକୁ । ଏହି ସମୟରେ ଶ୍ରୀରାମଙ୍କ ପାଦପଦ୍ମ ତଳେ ପ୍ରଣାମ କରୁଥିଲେ ହନୁମାନ୍ । ହେଲେ ଆଉ ଉଠିଲେ ନାହିଁ । ଦର୍ଶକ ଭାବିଲେ ଅଭିନେତା ବୋଧହୁଏ ଭାବବିହ୍ୱଳ ହୋଇଯାଇଛନ୍ତି । କିନ୍ତୁ କିଛି ସମୟ ଯିବା ପରେ ବି ଯେତେବେଳେ ଅଭିନେତା ଉଠିଲେ ନାହିଁ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳକୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ହନୁମାନ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ଜଣକ ବିଦ୍ୟୁତ ବିଭାଗର ଜଣେ ଅବସରପ୍ରାପ୍ତ ବରିଷ୍ଠ ଇଞ୍ଜିନିୟର । ସେ ଗତ ୨୫ ବର୍ଷ ଧରି ରାମଲୀଳାରେ ହନୁମାନ ଚରିତ୍ରରେ ଅଭିନୟ କରିଆସୁଥିଲେ । ତାଙ୍କର ଏପରି ବିୟୋଗରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।