କଫି କାଫେରୁ ଶୁଭୁଛି ହନୁମାନ ଚାଳିଶା ଓ ରାମ ଭଜନ । ଭକ୍ତି ମାର୍ଗରେ ଯୁବଗୋଷ୍ଠୀ

177

କନକ ବ୍ୟୁରୋ: ବଦଳୁଛନ୍ତି ଯୁବପିଢି । ବଦଳୁଛି ସେମାନଙ୍କ ପସନ୍ଦ । ଆଧୁନିକତାର ବାହ୍ୟ ଚାକଚକ୍ୟରୁ ଏବେ ଆଧ୍ୟାତ୍ମିକତା ଆଡକୁ ଢଳୁଛି ଯୁବ ସମାଜ । ଏହାର ଆଭାସ ମିଳିଛି ଏକ କଫି କାଫେରୁ । ଭାଇରାଲ ହେଉଛି କଫି କାଫେରେ ବସି ହନୁମାନ ଚାଳିଶା କରୁଥିବା ଯୁବ ଗୋଷ୍ଠୀଙ୍କ ଏହି ଭିଡିଓ, ଯେଉଁଥିରେ କିଛି ଯୁବକ ଓ ଯୁବତୀ ବସି ହନୁମାନ ଚାଳିସା ପାଠ କରିବା ସହ ପୁରା ପରିବଶେକୁ କରିଦେଇଛନ୍ତି ଭକ୍ତିମୟ ,ଭାବମୟ । ସେମାନଙ୍କୁ ଦେଖି କାଫେକୁ ଟାଣି ହୋଇଆସୁଛନ୍ତି ଅନେକ ଗ୍ରାହକ । ଆଉ ସେମାନଙ୍କ ସହ ମିଶି ମଜ୍ଜି ଯାଉଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭଜନରେ ।

ଆପଣ ଏ ଯେଉଁ ଭିଡିଓ ଦେଖୁଛନ୍ତି ଏ ହେଉଛି ହରିୟାଣା ଗୁରୁଗ୍ରାମର ଏମ୍ ୪୨ କଲୋନୀ ସେକ୍ଟର ୨୨ର ଏକ କଫି କାଫେର । ଏଠି ଏକାଠି ହୋଇଥିବା ଏହି ଯୁବକମାନେ ହେଉଛନ୍ତି ଆଖାପାଖ ଅଞ୍ଚଳର କଳାକାର । ଏମାନଙ୍କ ପାଖରେ ସୁଯୋଗ ନାହିଁ । କିନ୍ତୁ ଏମାନେ ନିଜ ପାଇଁ ନିଜେ ସୁଯୋଗ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି, ତାହା ପୁଣି ଏପରି ଢଙ୍ଗରେ ଯେ ତାହା ସମସ୍ତଙ୍କ ମନ ମୋହୁଛି । କାଫେ ପଟ ଦେଇ ଯାଉଥିବା ଯେକୌଣସି ବ୍ୟକ୍ତି ଦଣ୍ଡେ ଅଟକି ହନୁମାନ ଚାଳିଶା ଶୁଣିବା ସହ ଶ୍ରୀରାମଙ୍କ ଭକ୍ତିରେ କ୍ଷଣେ ହେଉପଛେ ହଜିଯାଉଛନ୍ତି ।

କାଫେର ମାଲିକ ବିବେକ ଗୁଲାଟିଙ୍କ କହିବା କଥା , ଦିନ ସାରା କର୍ମମୟ ବ୍ୟସ୍ତ ଜୀବନରୁ ବିରତି ପାଇବା ପରେ ପ୍ରତିଟି ମଣିଷ ଟିକେ ହାଲକା ହେବାକୁ ଚାହେଁ । ଏଥିପାଇଁ କିଏ ପାର୍କ ଯାଏ ତ କିଏ କାଫେ, କିଏ ମନ୍ଦିର କିଏ ପୁଣି ମଲ୍ । ଏହି କଥା ଭାବି ଦିନେ ସେ ଓ ତାଙ୍କ ପତ୍ନୀ କଫି ସପ୍ରେ ବସି ହନୁମାନ ଚାଳିଶା କଲେ । ଏହାକୁ ଦେଖି ପ୍ରଥମେ ୨ଜଣ ଯୁବକ ତାଙ୍କ ସହ ଯୋଗ ଦେଲେ ଓ ତାଙ୍କ ସହ ପୁରା ସ୍ୱର ଓ ତାଳରେ ହନୁମାନ ଚାଳିଶା ଗାଇବାକୁ ଲାଗିଲେ । ଏହି ପ୍ରୟାସ ସେଠିକାର ଯୁବକ ଯୁବତୀଙ୍କୁ ଏତେ ପ୍ରଭାବିତ କଲା ଯେ, ଜଣକ ପରେ ଜଣେ ଆସି ଏହି ଗ୍ରୁପରେ ଯୋଗ ଦଲେ । ମାତ୍ର ୨ /୪ ଜଣରୁ ଆରମ୍ଭ ହୋଇଥିବା ଏହି ଗ୍ରୁପ ଏବେ ୫୦ ଜଣରେ ପହଞ୍ଚିଛି । ସନ୍ଧ୍ୟା ହେଲେ ଏଠି ଜମୁଛି ହନୁମାନ ଚାଳିଶାର ଆସର । ଏହାକୁ ଆହୁରି ଶୁତିମଧୂର କରିବାକୁ କିଏ ନିଜ ଇଚ୍ଛାମତେ ଢୋଲକ ବଜାଏ ତ କିଏ ଗିଟାର । ଆଉ ଯଦି କିଛି ଇନଷ୍ଟ୍ରୁମେଣ୍ଟ ନମିଳେ ପାଖରେ ଥିବା ଟେବୁଲକୁ ବଜାଇ ସୁର କରାଯାଏ । ମଙ୍ଗଳବାର କାଫେରେ ହନୁମାନ ଚାଳିଶା ସହ ଶ୍ରୀରାମଙ୍କ ଭକ୍ତି ସଙ୍ଗୀତ ଶୁଣିବାକୁ ଗ୍ରାହକଙ୍କ ପ୍ରବଳ ଭିଡ ଜମେ ।

ବିଶେଷ କରି ଯୁବକଙ୍କ ହନୁମାନ ଚାଳିଶା ପାଠର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମାନଙ୍କ ପାଖକୁ ଏବେ ଆସୁଛି ବିଭିନ୍ନ ସ୍ଥାନରେ ପ୍ରୋଗ୍ରାମ କରିବାକୁ ନିମନ୍ତ୍ରଣ । ସମୟ ପାଇଲେ ବିନା ପାଉଣାରେ ଏହି ଗ୍ରୁପ ଅନ୍ୟ ସ୍ଥାନଗୁଡିକୁ ଯାଇ ନିଜ କଳାର ନିପୁଣତା ପ୍ରଦର୍ଶନ କରୁଛନ୍ତି । ଭକ୍ତି ଭାବ ସହ କଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରଭୁ ଶ୍ରୀରାମଙ୍କ କୃପାରୁ ହୋଇଛି ବୋଲି କୁହନ୍ତି କାଫେ ମାଲିକ ବିବେକ ଗୁଲାଟି ।

କଫି ସହ କଳା ଓ କଳାକାରଙ୍କୁ ପ୍ରମୋଟ କରିବାକୁ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ଯୋଡି ହୋଇଛନ୍ତି କବି, ଗାୟକ, ଆରଜେ, ଯୁବ ସରକାରୀ ଚାକିରିଆ । ଭକ୍ତି ସଙ୍ଗୀତ ସହ କାଫେରେ ଜମୁଛି କବିତା, ସାୟରୀ, କମେଡିର ଆସର । କଫିର ସାଙ୍ଗକୁ ଏସବୁର ଫୁଲ ମଜା ସବୁ ବର୍ଗର ଗ୍ରାହକ ।