କନକ ବ୍ୟୁରୋ : ମହାରାଷ୍ଟ୍ରରେ ଅଜାନକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଏହା ଧର୍ମନଗରୀ ବାରଣାସୀରେ ପହଞ୍ଚିଛି । ଧର୍ମନଗରୀ ବାରଣାସୀରେ ଅଜାନ ବାଜୁଥିବା ସମୟରେ ଲାଉଡସ୍ପିକରରେ ହନୁମାନ ଚାଳିଶା ବାଜୁଥିବାର ଘଟଣା ଏବେ ସାମ୍ନାକୁ ଆସିଛି । ବାରଣାସୀରେ ଶ୍ରୀକାଶୀ ବିଶ୍ୱନାଥ ମୁକ୍ତି ଆନ୍ଦୋଳନ ପକ୍ଷରୁ ଏଭଳି ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରାଯାଉଛି । ଲୋକମାନେ ଛାତ ଉପରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ବଜାଉଥିବା ଦେଖିବାକୁ ମିଳିଛି ।
ବାରଣାସୀର ସାକେତ ନଗର ଅଞ୍ଚଳରେ ସୁଧୀର ସିଂ ନିଜ ଘରୁ ଏହାର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି, ଯେତେ ଥର ଅଜାନ ବାଜିବ ସେତେଥର ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ବଜାଯିବ । ତେବେ ଏହାଦ୍ୱାରା ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ସୁଧୀର । ପୂର୍ବରୁ କାଶୀର ବିଭିନ୍ନ ମନ୍ଦିରରେ ବଡି ଭୋରରୁ ହିଁ ହନୁମାନ ଚାଳିଶା ପାଠ କରାଯାଉଥିଲା । କିନ୍ତୁ କ୍ରମଶଃ ଚାପ ପଡିବା ପରେ ଏହା ବନ୍ଦ ହୋଇ ଯାଇଥିଲା । ସେତେବେଳେ କୋର୍ଟଙ୍କ ନିର୍ଦ୍ଦେଶର ଦ୍ୱାହି ଦିଆଯାଇଥିଲା । ଶବ୍ଦ ପ୍ରଦୂଷଣ କାରଣ ଦର୍ଶାଇ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଯାହାଫଳରେ ବିଭିନ୍ନ ମନ୍ଦିରରୁ ଲାଉଡ ସ୍ପିକର ହଟାଯାଇଥିଲା । କିନ୍ତୁ ମସଜିଦ୍ ଉପରେ ଏବେ ବି ଲାଉଡସ୍ପିକର ଲାଗି ରହିଛି । ଆଉ ବଡି ଭୋରରୁ ଅଜାନ ଶବ୍ଦ ଶୁଭୁଛି । ଯେତେବେଳେ ବଡି ଭୋରରୁ ଅଜାନ ବାଜିପାରୁଛି ସେତେବେଳେ ହନୁମାନ ଚାଳିଶା କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ସୁଧୀର ସିଂ । ଏବେ ଦୈନିକ ୪ରୁ ୫ଥର ହନୁମାନ ଚାଳିଶା ଲାଉଡସ୍ପିକରରେ ବାଜୁଛି । କିନ୍ତୁ ନିୟମ ଅନୁଯାୟୀ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ହିଁ ହନୁମାନ ଚାଳିଶା ପାଠ କରାଯିବା କଥା । ତେଣୁ ଆଗକୁ ଏହି ଦୁଇ ସମୟରେ ହିଁ ହନୁମାନ ଚାଳିଶା ପାଠ କରାଯିବ ।