କନକ ବ୍ୟୁରୋ : ଦୁର୍ବଳ ହେଲାଣି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ସେତୁ । କେଉଁ ମୁହୂର୍ତ୍ତରେ ଯେ କଣ ହେବ ତାହା କହିବା ମୁସ୍କିଲ । ତେଣୁ ଏହି ସେତୁ ଉପରେ ଯିବା ଆସିବା କରିବାକୁ ଏବେ ଭୟ କଲେଣି ଭକ୍ତ । ଏହି ସେତୁ ନିର୍ମାଣ ହେବାର ଦେଢ ଦଶନ୍ଧି ବିତିନି କିନ୍ତୁ ଏହାର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନବାଚୀ ଛିଡା ହେଲାଣି ।
୨୦୦୬ରେ ଧବଳେଶ୍ୱର ପୀଠକୁ ଯିବା ପାଇଁ ଏହି ଝୁଲା ସେତୁର ନିର୍ମାଣ କରାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ଏହି ବହୁ ପ୍ରତୀକ୍ଷିତ ଝୁଲା ସେତୁ ନିର୍ମାଣ କରାଯାଇଥିଲା । ସେତେବେଳେ ଏହି ସେତୁ ୯୯ ବର୍ଷ ଯାଏଁ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ଏପରିକି ସେହି ସମୟରେ ଏହି ସେତୁରେ ଏକାସଙ୍ଗରେ ୧୫୦୦ ଜଣ ଯାଇପାରୁଥିଲେ । କିନ୍ତୁ ଏବେ ସେତୁର ସ୍ଥାନେ ସ୍ଥାନେ ରେଲିଂ ଛିଣ୍ଡିବା ଅବସ୍ଥାରେ ଥିବା ବେଳେ ଏକାସଙ୍ଗରେ ସେତୁ ଉପରେ ୬୦୦ ଜଣଙ୍କୁ ଯିବାକୁ ଅନୁମତି ମିଳୁଛି । ଯାହା ଦର୍ଶାଉଛି ସେତୁର ସ୍ଥିତି ଏବେ କେମିତି ରହିଛି ।
ଆଗକୁ ପଞ୍ଚୁକ ଆସୁଥିବା ବେଳେ ଧବଳେଶ୍ୱର ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ହେବ । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଭକ୍ତଙ୍କ ମନରେ ଭୟ ସଞ୍ଚାର କରିଛି ଦୁର୍ବଳ ଝୁଲାପୋଲ । ଏପରିକି ଝୁଲା ପୋଲର ବିକଳ୍ପ ବ୍ୟବସ୍ଥା ପାଇଁ ୨ ବର୍ଷ ପୂର୍ବରୁ ଝୁଲା ସେତୁକୁ ଲାଗି କରି ଆଉ ଏକ କଂକ୍ରିଟ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ତାହାର ଏଯାଏଁ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ତେଣୁ ତୁରନ୍ତ ଏହି ପୋଲର କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ଭକ୍ତ । ଯାହାଦ୍ୱାରା ଭକ୍ତ ମାନେ ସୁରକ୍ଷିତ ଭାବେ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ।