କନକ ବ୍ୟୁରୋ : ଆସାମରେ ପୁଣି ଏକ ବୁଡ ଦୁର୍ଘଟଣା । ଆସାମର କରିମଗଞ୍ଜରେ ଏକ ଝୁଲା ପୋଲ ଛିଡିପଡିଥିବା ନେଇ ଖବର ସାମ୍ନାକୁ ଆସିଛି । ଆଉ ଏହି ଝୁଲା ପୋଲ ଛିଡିବା ଫଳରେ ୩୦ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା ସୋମବାର ହୋଇଛି । ଝୁଲା ପୋଲଟି ଯେତେବେଳେ ଛିଡିଲା ସେତେବେଳେ ସେହି ବାଟ ଦେଇ ସ୍କୁଲ ପିଲା ଘରକୁ ଫେରୁଥିଲେ ।
ମିଳିଥିବା ସୂଚନା ମୁତାବକ, ଏହି ଝୁଲା ବ୍ରିଜ ସିଙ୍ଗଲା ନଦୀ ଉପରେ ରହିଥିଲା । ଗତ କିଛି ବର୍ଷ ହେବ ସାଧାରଣ ଲୋକ ଓ ସ୍କୁଲ ଛାତ୍ର ସ୍କୁଲ ଓ ଅନ୍ୟାନ୍ୟ ସ୍ଥାନକୁ ଯିବା ପାଇଁ ଏହି ଝୁଲା ପୋଲର ବ୍ୟବହାର କରୁଥିଲେ । ତେବେ ସୋମବାର ଚିରାଗି ବିଦ୍ୟାପୀଠ ହାଇସ୍କୁଲରୁ ଛାତ୍ରଛାତ୍ରୀ ଘରକୁ ଫେରୁଥିବା ବେଳେ ପୋଲଟି ଛିଡି ପଡିଥିଲା । ଅଚାନକ ପୋଲଟି ଛିଡି ପଡିବାରୁ ଅନେକ ଛାତ୍ର ନଦୀରେ ଖସିପଡିଥିଲେ । ଆଖପାଖରେ ଥିବା ଲୋକ ତୁରନ୍ତ ନଦୀକୁ ଡେଇଁ ପିଲାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।
ଅଚାନକ ଝୁଲା ପୋଲ ଛିଡିବାରୁ ୩୦ ଜଣ ଛାତ୍ର ଆହତ ହୋଇଛନ୍ତି ଯେଉଁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ୩ ବର୍ଷ ପୂର୍ବେ ଏହି ଝୁଲା ପୋଲ ନିର୍ମାଣ କରାଯାଇଥିଲା । ତେବେ ଅତ୍ୟଧିକ ପୁରୁଣା ହୋଇଯିବାକୁ ଅଚାନକ ଝୁଲା ପୋଲ ଛିଡି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।