କନକ ବ୍ୟୁରୋ : ଚଳିତ ଆଇପିଏଲ ମହାନିଲାମୀରେ ୧୯ ବର୍ଷରୁ କମ ବିଶ୍ୱବିଜୟୀ ଟିମର ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ କିଣିଛନ୍ତି । ଅଧିନାୟକ ୟସ୍ ଧୂଲଙ୍କ ସମେତ ଅନେକ ଖେଳାଳୀ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଆଉ ଏହି ତାଲିକାରେ ୧୯ ବର୍ଷରୁ କମ ବିଶ୍ୱକପର ହିରୋ ରାଜବର୍ଦ୍ଧନ ହଙ୍ଗରଗେକର ରହିଛନ୍ତି । ହଙ୍ଗରଗେକର ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ଆଇପିଏଲ ମହାନିଲାମୀରେ ନିଜକୁ ସାମିଲ କରିଥିଲେ । ଆଉ ଚାମ୍ପିୟନ ଚେନ୍ନାଇ ମଧ୍ୟ ହଙ୍ଗରଗେକରଙ୍କୁ ଦେଢ କୋଟି ଟଙ୍କାରେ କିଣିଥିଲା । ତେବେ ଆଇପିଏଲ ମହାନିଲାମୀ ପରେ ହଙ୍ଗରଗେକରଙ୍କୁ ନେଇ ସାଂଘାତିକ ଅଭିଯୋଗ ଆସିଛି । ୧୯ ବର୍ଷରୁ କମ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ହିରୋ ହଙ୍ଗରଗେକରଙ୍କ ନାଁରେ ବୟସ ଜାଲିଆତିର ସାଂଘାତିକ ଅଭିଯୋଗ ଆସିଛି ।
ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ଉପରେ ବୟସ ଜାଲିଆତି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର କ୍ରୀଡା ବିଭାଗର ସଚିବ ଓମପ୍ରକାଶ ବକୋରିଆ । ବିସିସିଆଇକୁ ଚିଠି ଲେଖି ଓମପ୍ରକାଶ ବୟସ ଜାଲିଆତିର ସମସ୍ତ ପ୍ରମାଣପତ୍ର ଦେଇଛନ୍ତି । ଏଥିରେ ଓମପ୍ରକାଶ ଦର୍ଶାଇଛନ୍ତି ଯେ, ଧାରାଶିବର ଟେରନା ପବ୍ଲିକ ସ୍କୁଲ ଛାତ୍ର ଥିବା ହଙ୍ଗରଗେକରଙ୍କ ବୟସ ବାବଦରେ ଧାରାଶିବର ସିଇଓ ରାହୁଲ ଗୁପ୍ତା ସ୍ପଷ୍ଟ କରିଛନ୍ତି । ସ୍କୁଲ ରେକର୍ଡ ମୁତାବକ, ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ହଙ୍ଗରଗେକରଙ୍କ ଜନ୍ମ ତାରିଖ ୧୦ ଜାନୁଆରୀ ୨୦୦୧ ରହିଥିଲା । ତେବେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ବେଳେ ତାଙ୍କ ବୟସ ତାରିଖକୁ ୧୦ ନଭେମ୍ବର ୨୦୦୨ କରାଯାଇଥିଲା । ଅଥାର୍ତ ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱକପରେ ଭାଗ ନେଇଥିବା ହଙ୍ଗରଗେକରଙ୍କ ବୟସ ସେତେବେଳେ ୨୧ ବର୍ଷ ଥିଲା ।
୧୯ ବର୍ଷରୁ କମ ବିଶ୍ୱକପରେ ହଙ୍ଗରଗେକର ୫ଟି ୱିକେଟ ଅକ୍ତିଆର କରିଥିଲେ । ପେସ୍ ବୋଲିଂ ସହ ହଙ୍ଗରଗେକର ଦମଦାର ବ୍ୟାଟିଂ କରନ୍ତୁ । ଆୟରଲାଣ୍ଡ ବିପକ୍ଷରେ ୧୭ ବଲରୁ ବିସ୍ଫୋରକ ୩୯ ରନ କରିଥିଲେ । ଏପରିକି ଫାଇନାଲ ମ୍ୟାଚରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ହଙ୍ଗରଗେକର ।