ଅନ୍ଧବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ…କଷ୍ଟ ସହୁଛି କୁନିଝିଅ : ସାପ କାମୁଡିବା ପରେ ନଷ୍ଟ ହେବାକୁ ବସିଛି ହାତ

352

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ, କୁନି ଝିଅଟିକୁ ସାପ କାମୁଡିବା ପରେ ବି ଘରେ ପକାଇ ରଖିଛନ୍ତି ପରିବାର । ନାଗ ସାପ କାମୁଡିବା ସତ୍ୱେ ସୌଭାଗ୍ୟରୁ ଝିଅଟି ବଂଚି ଯାଇଛି । ହେଲେ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । ଗୋଟିଏ ହାତ ନଷ୍ଟ ହେବାକୁ ବସିଲାଣି । ନୀଳପଡି ହାତଟି ବିକୃତ ହୋଇ ଗଲାଣି । ବଡ ଡାକ୍ତରଖାନାକୁ ନେଇ ଝିଅ ଚିକିତ୍ସା କରାଇବା ଗରିବ ବାପାଙ୍କ ପାଖରେ ସମ୍ଭବ ହେଉନାହିଁ । ଯନ୍ତ୍ରଣା ଭୋଗୁଛି ୯ ବର୍ଷର ଝିଅ ।

ସୂଚନା ଅନୁଯାୟୀ, ଏକ ମାସ ତଳେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିଲେ, ମା’ ଘର କାମରେ ବ୍ୟସ୍ତ ଥିଲେ ଏହି ସମୟରେ ୯ ବର୍ଷୀୟା ଝିଅ ସାନ ଭାଇ ସହ ବାହାରେ ଖେଳୁଥିଲା । ଖେଳି ଖେଳି ଏକ ଗଛରେ ପକ୍ଷୀ ଧରିବାକୁ ଚଢି ଯାଇଥିଲେ । ସେଠାରେ ତାଙ୍କୁ ଏକ ନାଗ ସାପ କାମୁଡି ଦେଇଥିଲା । ସେତେବେଳେ ବାପା-ମାଆ ଝିଅକୁ ପ୍ରଥମେ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଗୋଟିଏ ଦିନ ଚିକିତ୍ସା କରିବା ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ ।

ସେଠାରେ ତିନିଦିନ ଧରି ଚିକିତ୍ସା ହେବା ପରେ ବି ଝିଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଝିଅକୁ ବ୍ରହ୍ମପୁର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଅଭାବୀ ପରିବାର ପାଖରେ ସମ୍ବଳ ଥିବାରୁ ଝିଅର ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ଘରେ ରଖିଛନ୍ତି । ଆଉ ଧିରେ ଧିରେ ଝିଅଟିର ହାତ ନଷ୍ଟ ହେବାରେ ଲାଗିଛି । ପାପୁଲି ଠାରୁ କାନ୍ଧ ପର୍ଯ୍ୟନ୍ତ ଅକାମି ହୋଇଯାଇଛି । ସେପଟେ ମାସେ ହେଲାଣି ସାପଟିକୁ ମଧ୍ୟ ଏକ ସ୍ଥାନରେ ବନ୍ଦି କରି ରଖାଯାଇଛି । ପରିବାର ସଦସ୍ୟ କହିଛନ୍ତି, ଯେତେ ଦିନ ଯାଏ ଝିଅ ଠିକ୍ ନ ହୋଇଛି ଏହି ସାପଟିକୁ ଛାଡ଼ିବୁ ନାହିଁ ।