କନକ ବ୍ୟୁରୋ : ଏବେ ଦେଶରେ ଚାଲିଥିବା କୃଷକ ମାନଙ୍କ ଆନ୍ଦୋଳନକୁ ଦେଶ, ବିଦେଶରୁ ସମର୍ଥନର ସୁଅ ଛୁଟିଛି । ବ୍ରିଟେନ, କାନାଡା ଆମେରିକା ଭଳି ଦେଶରୁ ଭାରତର କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ ଦେଶର କିଛି ଜଣାଶୁଣା ଲେଖକ, ରାଜନେତା ଓ ଖେଳାଳୀ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଫେରାଉଥିବା ଦେଖାଯାଇଛି । ଏହାରି ମଧ୍ୟରେ ଏକ ଚକିତ କରିବା ଭଳି ଖବର ଆସିଛି ପଞ୍ଜାବର ଲୁଧିଆନାରୁ । ଲୁଧିଆନା ସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃର୍ତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂ କୃଷକ ମାନଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କହିରଖୁ କି ବୀରେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫର୍ଟିଲାଇଜର ଆସୋସିଏଶନ ପକ୍ଷରୁ ଗୋଲଡେନ୍ ଜୁବଲି ସମ୍ମାନରେ ସମ୍ମାନୀତ କରାଯିବାକୁ ଘୋଷଣା କରାଯାଇଥିଲା । ଏହାପରେ ଆୟୋଜିତ ସଭାର ମଂଚ ଉପରକୁ ଆସିଥିଲେ ବୀରେନ୍ଦ୍ରପାଲ୍ ସିଂ । ସେଠାରେ ସେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଗୌଡା ଓ ଫର୍ଟିଲାଇଜର ଆସୋସିଏଶନକୁ ଧନ୍ୟବାଦ ଜଣାଇଥିଲେ । ହେଲେ ମନ୍ତ୍ରୀ ଯେତେବେଳେ ପୁରସ୍କାର ପ୍ରଦାନ କରିବାକୁ ଆସିଲେ ସେତେବେଳେ ଶ୍ରୀ ସିଂ ବିନୟ ଭାବେ ହାତଯୋଡି ପୁରସ୍କାର ଗ୍ରହଣ କରିବାକୁ ମନାକରି ଦେଇଥିଲେ । ସେ ମଂଚରେ କହିଥିଲେ କି ଅନ୍ନଦାତାଙ୍କ ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି । ତେଣୁ ସରକାରଙ୍କ ଠାରୁ ପୁରସ୍କାର ନେଲେ ତାହା କୃଷକ ମାନଙ୍କ ପ୍ରତି ଅପମାନ ହେବ । ଏହାସହ ଯାହାଙ୍କ ପାଇଁ ମୁଁ ଜୀବନସାରା ଗବେଷଣା ଚଳାଇଛି ସେମାନଙ୍କୁ ଯେତେବେଳେ ସରକାର ହକ୍ ଦେବାକୁ ରାଜି ନୁହନ୍ତି ସେତେବେଳେ ଏଗବେଷଣା କେଉଁ କାମରେ ଲାଗିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

Advertisment

ସୂଚନା ଥାଉକି କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରଥମେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀଦଳର ନେତା ପ୍ରକାଶ ସିଂ ବାଦଲ ପ୍ରଥମେ ପଦ୍ମ ବିଭୂଷଣ ଫେରାଇଥିଲେ । ଏହା ପରେ ଲଗାତର ଭାବେ ଖେଳାଳୀ ଓ ସିନେ ତାରକା ମାନେ ବି କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରାଇବାରେ ଲାଗିଛନ୍ତି । ଏହା ସହ ସେମାନେ କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।