କନକ ବ୍ୟୁରୋ : ବଜାରରେ ଯେତେ ପ୍ରକାରର ମେସିନ ପ୍ରସ୍ତୁତ ଶାଢ଼ୀ ଥିଲେ ମଧ୍ୟ ଏବେବି ହାତ ତିଆରି ଶାଢୀର ଚାହିଦା ରହିଛି। କଟକ ଜିଲ୍ଲା ବାଙ୍କୀ ତୁଳସୀପୁର ଗାଁର ପ୍ରାୟ ୨୦୦ ବୁଣାକାର ପରିବାର ବିଭିନ୍ନ ଡିଜାଇନର ଶାଢ଼ୀ ତିଆରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ସରକାରୀ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ଏହି କୌଳିକ ବୃତ୍ତି ଉପରୁ ଯୁବ ପିଢ଼ି ମୁହଁ ଫେରାଇ ନେଉଥିବା ବେଳେ ଏହି ବୃତ୍ତିକୁ ବଞ୍ଚାଇ ରଖିବାକୁ ତୁଳସୀପୁର ତାନ୍ତୁବାୟ ସମିତି ଉଦ୍ୟମ ଜାରି ରଖିଛି । ଏଠାରେ ଥିବା ବୁଣାକାର ପରିବାରଙ୍କ ପାଇଁ ଏହି ସମିତି ରୋଜଗାରର ମାଧ୍ୟମ ପାଲଟିଛି ।
ମେସିନ ବଦଳରେ ତନ୍ତରେ ଶାଢୀ ତିଆରି କଲେ ଚଳୁଚି ପରିବାର । ସୁନ୍ଦର ସୁନ୍ଦର ଡିଜାଇନ ସାଙ୍ଗକୁ ଵୁଣାକାରଙ୍କ ନିଖୁଣ କାରିଗରୀ ସେମାନଙ୍କୁ ଦେଇଚି ସ୍ୱତନ୍ତ୍ର ପରିଚୟ । ପିଢି ପରେ ପିଢି ଏଇ ହସ୍ତତନ୍ତ କଳାକୁ ବଞ୍ଚାଇ ରଖିବା ସହିତ ଏହାକୁ ବିକ୍ରୀ କରି ପରିବାର ପତିପୋଷଣ କରୁଛନ୍ତି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁର ବୁଣାକାର । ଏଇ ଗାଁରେ ରୁହନ୍ତି ୨୦୦ ରୁ ଅଧିକ ବୁଣାକାର ପରିବାର। ଘରେ ଘରେ ତନ୍ତ ଵସାଇ ଲୁଗା ବୁଣୁଛନ୍ତି ଉଭୟ ପୁରୁଷ ଓ ମହିଳା । କାରଣ ପରିବାରର ସମସ୍ତ ସଦସ୍ୟ ନଲାଗିଲେ ଦିନକର ମଜୁରୀ ଉଠିବ ନାହିଁ । ତେଣୁ ପରିବାର ଚଳାଇବା ପାଇଁ ଏହି କାମରେ ଲାଗିଛନ୍ତି କାରିଗର । ଦିନକୁ ଦିନ ଦରଦାମ ବୃଦ୍ଧି କାରଣରୁ ଏହି ବୃତ୍ତିରୁ ଯୁବପିଢ଼ି ମୁହଁ ଫେରାଇ ନେଉଥିବା ବେଳେ ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ତୁଳସୀପୁର ତନ୍ତୁବାୟ ସହଯୋଗ ସମିତି ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ସମିତି ମାଧ୍ୟମରେ ବୁଣାକାର ପରିବାରକୁ ଆବଶ୍ୟକୀୟ ଋଣ ସାଙ୍ଗକୁ କଞ୍ଚା ମାଲ ଯୋଗାଇ ଦିଆ ଯାଉଥିବା କହିଛନ୍ତି ବୁଣାକାର ।
ଏହି ଗାଁରେ ତିଆରି ହେଉଥିବା ଶାଢୀ କେବଳ ବାଙ୍କୀ ନୁହେଁ କଟକ ପୁରୀ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ମଧ୍ୟ ବିକ୍ରୀ କରାଯାଉଛି । ଶାଢୀ ପାଇଁ ଆବଶ୍ୟକ ହେଉଥିବା କଞ୍ଚା ମାଲ ଯଥା ସୁତା, ରଂଗ ଭଳି ଅନ୍ୟାନ୍ୟ ସାମଗ୍ରୀ ତୁଳସୀପୁର ତନ୍ତୁବାୟ ସମିତିରୁ ଆଣିବାକୁ ପଡ଼ୁଛି । ଶାଢ଼ୀ ବୁଣା ସରିବା ପରେ ବୁଣାକାର ମାନେ ଏହି ତନ୍ତୁବାୟ ସମିତିରେ ଶାଢୀ ବିକ୍ରି ପାଇଁ ଦେଇଥାଆନ୍ତି । ତା ବଦଳରେ ଗୋଟିଏ ଶାଢୀ ପିଛା ୪୦୦ ରୁ ୫୦୦ ଟଙ୍କା ପାରିଶ୍ରମିକ ପାଇଥାନ୍ତି। ଗୋଟିଏ ଗୋଟିଏ ଶାଢୀ ବୁଣିବା ପାଇଁ ପ୍ରାୟ ଗୋଟିଏ ଦିନ ଲାଗି ଯାଉଥିବାରୁ ସେହି ଅନୁସାରେ ପାରିଶ୍ରମିକର ମୂଲ୍ୟ ବୃଦ୍ଧି ପାଇଁ ତୁଳସୀପୁର ତନ୍ତୁବାୟ ସହଯୋଗ ସମିତିର ସମ୍ପାଦକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ବୁଣାକାରମାନେ ଅକ୍ଳାନ୍ତ ପରିଶ୍ରମ କରି ଶାଢ଼ି ବୁଣୁଥିବା ବେଳେ ଏମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ଏହି ବୃତି ଚିରସ୍ଥାୟୀ ହୋଇପାରିବ ।