ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।

119

କନକ ବ୍ୟୁରୋ : ଜନ୍ମ କରିଥିବା ଏବଂ ଛୋଟରୁ ବଡ କରିଥିବା ବାପା ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁଅ ଝିଅଙ୍କର ଅକଲ ଗୁଡୁମ ହୋଇଯାଏ । କିନ୍ତୁ ଏପରି ସ୍ଥିତିରେ ବି ହାର ନମାନି ଜୀବନ ସଂଘର୍ଷର ଏ ଯୁଦ୍ଧରେ ଜିତିବା ପାଇଁ ପ୍ରୟାସ କରିଛନ୍ତି ନିମାପଡାର ଦୁଇ ଜଣ ନାବାଳକ ଏବଂ ନାବାଳିକା । ସମ୍ପର୍କରେ ଭାଇଭଉଣୀ । ସଂଘର୍ଷ କରୁଛନ୍ତି ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଏବଂ ପରିବାର ପ୍ରତିପୋଷଣ କରିବା ପାଇଁ ।

ଟିଭି ପରଦାରେ ଭାଇଭଉଣୀଙ୍କ ଦୁଇଟି ଦୃଶ୍ୟ । ଯାହା ପଛର କାହାଣୀ ଆପଣଙ୍କୁ ଆନ୍ଦୋଳିତ କରିବ । ଗୋଟିଏପଟେ ଭଉଣୀ ସାନୁ ନିଜ ବୋଉ ସହିତ କାନ୍ଦି କାନ୍ଦି ଭିକ୍ଷା ମାଗୁଛନ୍ତିା ଆଉ ଗୋଟେପଟେ ଭାଇ ମାନସ ପରଦୁଆରେ ମୂଲ ଲାଗୁଛନ୍ତି ।

ଏପରି କରିବା ପଛର କାରଣ ଜାଣିଲେ ଆପଣ ହୁଏତ ବିଶ୍ୱାସ ନକରିପାରନ୍ତି । ବାପାଙ୍କ ଚିକିତ୍ସା ପାଇଁ ଏବଂ ପରିବାର ଚଳାଇବା ପାଇଁ ଏସବୁ କରୁଛନ୍ତି ଭାଇଭଉଣୀ । ନିମାପାଡ଼ା ସାମିଲି ମଲ୍ଲିକ ସାହିର ବାସିନ୍ଦା ଲକ୍ଷ୍ମୀଧର ମଳିକ । ଆଜିକୁ ଦୀର୍ଘ ୬ମାସ ହେବ ଟିବିରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏଫରି ଅବସ୍ଥା କାରଣରୁ ପରିବାର ଚଳିବା କଷ୍ଟକର ହୋଇପଡିଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇପାରୁନି । ତେଣୁ ଭାଇଭଉଣୀ ଏବେ ଲାଗି ପଡିଛନ୍ତି ଅର୍ଥ ଯୋଗାଡରେ ।

ଆମ ଠାରୁ ସୂଚନା ପାଇଁ ରିମେଡ଼ିଆଲ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ଅର୍ଥ ସହାୟତା କରିଛନ୍ତି । ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠିରୁ ଅର୍ଥ ଯୋଗାଇଦିଆଯିବ ବୋଲି ପ୍ରଶାସନ କହିଛି ।