ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇବା ପରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଜୟପୁରର ଦେବ ପରିଛା । ଟ୍ରାଇସାଇକେଲରେ ବସି ବିକ୍ରି କରୁଛନ୍ତି ପଇଡ଼

87

କନକ ବ୍ୟୁରୋ : ଟ୍ରାଇସାଇକେଲରେ ବାପା । ଆଉ ଆଶାବାଡ଼ି ସାଜିଛି ପୁଅ । ଜୀବିକା ପାଇଁ ବାଟ କଢ଼ାଇଦେଉଛି । ଚାଲିବାକୁ ଗୋଡ଼ନାହିଁ ତଥାପି ଦୋକାନରେ ବସି ପଇଡ଼ ଓ ଲସି ବିକୁଛନ୍ତି । ଜଣେ ବନ୍ଧୁଙ୍କ ସହଯୋଗରେ ମିଳିଥିବା ଏକ ଦୋକାନ ବାରଣ୍ଡାରେ ଚାଲିଛି ଦୋକାନ । ଏ ହେଉଛି ଜୟପୁର ସହରର ପାରାବେଡ଼ାରେ ରହୁଥିବା ଦେବ ପରିଛାଙ୍କ କାହାଣୀ । ଭଙ୍ଗା ଦଦରା ଏଇ ଭଡ଼ା ଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ । ତା’ ପୁଣି ୮ ଶହ ଟଙ୍କା ଭଡ଼ାରେ । ଘରର ଦୃଶ୍ୟ ହିଁ ବୟାନ କରୁଛି ପରିବାର ଲୋକଙ୍କ ସ୍ଥିତି । ପତ୍ନୀ ମଧ୍ୟ ଘର କାମ ସାରି ପର ଘରେ କାମ କରୁଛନ୍ତି । ସେଥିରୁ ଯାହା ରୋଜଗାର ହେଉଛି ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି । ଦିନେ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି ।

ଦିବ୍ୟାଙ୍ଗ ପାଲଟିଥିବା ଦେବଙ୍କ ହସ ଖୁସିର ପରିବାର ଥିଲା । ଭଲ ରୋଜଗାର ବି ଥିଲା । ହେଲେ ଦୁର୍ଘଟଣା ଦେଇଗଲା ଦାରୁଣ ଦୁଃଖ । ପେଶାରେ ଦେବ ଜଣେ କଣ୍ଡକ୍ଟର ଥିଲେ । ଘରୋଇ ବସରେ କାମ କରୁଥିଲେ । ପରେ ସେ ରାଜ୍ୟ ସରକାରଙ୍କ ବସକୁ ଲିଜ ନେଇ ଚଳାଉଥିଲେ । ୨୦୧୮ ମସିହା ଜୁନ ୩୦ ତାରିଖରେ ସରକାରୀ ବସରେ ଚଢ଼ୁଥିବା ସମୟରେ ବସଟି ଆଗକୁ ଗଡ଼ିଗଲା, ସେଥିରେ ଦେବ ଚକାତଳେ ପଡ଼ିଯାଇ ନିଜର ୨ଟି ଗୋଡ଼ ହରାଇବସିଲେ । କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନ ଠାରୁ କମିସନରଙ୍କ ପର୍ଯ୍ୟନ୍ତ ସୁବଠି ଗୁହାରି ହୋଇ ନିରାଶ ହୋଇଛନ୍ତି । ଏପଟେ ଚିକିତ୍ସା ପାଇଁ ନିଜର ସର୍ବସ୍ୱ ହରାଇବାକୁ ପଡ଼ିଛି । ହେଲେ ମିଳୁନି କ୍ଷତିପୂରଣ । ଏବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେବ ପରିଛା । ଆଶା କିଛି କ୍ଷତିପୂରଣ ମିଳିଲେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୁଅନ୍ତା ।

ଦେବଙ୍କ ଏଭଳି ସ୍ଥିତିରେ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳନ୍ତା ତେବେ ଉପକୃତ ହୋଇପାରନ୍ତେ ଏହି ଅସହାୟ ପରିବାର ।