ହାତ ନାହିଁ ବୋଲି… ମୁଁ ପାଦରେ ଆଙ୍କୁଛି ଚିତ୍ର, ପଢୁଛି ପାଠ । ଦିବ୍ୟାଙ୍ଗ ହୋଇ ବି ହାରିନି ଜୟପୁରର ଯଶୋଦା

107

କନକ ବ୍ୟୁରୋ: ଆଗରେ ପଡିଛି ପଥ ବହୁଦୂର, ଆହୁରି କେତେ ଯେ ବାକି… ଚାଲିବି ଚାଲିବି ନପଡିବି ଥକି, ମୁଦିବା ଆଗରୁ ଆଖି…

ଏ ଉକ୍ତି କେବଳ ପାଦଥିବା ମଣିଷ ପାଇଁ ନୁହେଁ ବରଂ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ପିଲା ପାଇଁ ବି ପ୍ରଯୁଜ୍ୟ । ଏ ଝିଅକୁ ଦେଖନ୍ତୁ, ହାତ ଅଛି ହେଲେ କାମ କରିବାକୁ ଅକ୍ଷମ, ପାଦ ଅଛି ହେଲେ ଚାଲିବାକୁ ଅସମର୍ଥ । ତେଣୁ ଆଗକୁ ବଢିବା ପାଇଁ, ଚଳପ୍ରଚଳ ହେବା ପାଇଁ ଗୁରୁଣ୍ଡିବା ସହ ଅନ୍ୟର ସହାୟତା ଲୋଡୁଛି ସତ କିନ୍ତୁ ସେ ମନରୁ ହାରିଯାଇନି । ଶାରୀରିକ ଅକ୍ଷମତା ସତ୍ୱେ ସେ ଭିତରୁ ଭାଙ୍ଗିପଡିନି ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସବୁ ଅସମ୍ଭ କାମ ବି ସମ୍ଭବ ସମ୍ଭବ ଲାଗେ । ଆଉ ଏ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମା ଚରାମୁଳା ଗାଁର ୮ମ ଶ୍ରେଣୀର ଛାତ୍ରୀ ଯଶୋଦା ଦଳେଇ । ଯଶୋଦା ଜନ୍ମରୁ ଦିବ୍ୟାଙ୍ଗ । ଶରୀରର ଗଠନ ଏମିତି ଯେ ଛିଡା ହେବାକୁ କି ସକ୍ଷମ ନୁହେଁ ଯଶୋଦା । ଦୁଇ ହାତ ବି କାମ କରୁନି । କିନ୍ତୁ ତାରି ଭିତରେ ୨ ଗୋଡ ସାହାଯ୍ୟରେ ସେ ଆଙ୍କୁଛି ଚମତ୍କାର ଚିତ୍ର । ପାଦରେ ପେନ୍, ପେନସିଲ ଧରି ଧଳା କାଗଜ ଉପରେ ଦେଖାଉଛନ୍ତି ନିଜ କଳା ପ୍ରତିଭାର ପ୍ରଦର୍ଶନ ।

ହାତ ଅଚଳ ଥିଲେ ବି ସେ ପାଦ ସାହାଯ୍ୟରେ ବହିର ପୃଷ୍ଠାକୁ ବେଶ୍ ସୁନ୍ଦର ଭାବେ ଓଲଟାଇ ପାରନ୍ତି ଲେଖି ବି ପାରନ୍ତି । ଓଡିଆ, ହିନ୍ଦୀ, ଇଂରାଜୀକୁ ପାଦରେ ଲେଖିପାରନ୍ତି ଯଶୋଦା । ପାଠ ପ୍ରତି ବହୁତ ଆଗ୍ରହ ଥିବାରୁ ସ୍କୁଲର ସବୁ ସାରଙ୍କ ପ୍ରିୟ ଅଛନ୍ତି ଦିବ୍ୟାଙ୍ଗ ଛାତ୍ରୀ ଯଶୋଦା ।

ଯଶୋଦାଙ୍କ ବାପା କାମ କରି ପରିବାର ଚଳାନ୍ତି । ଝିଅର ଏମିତି ଅବସ୍ଥା ପାଇଁ ତାଙ୍କୁ ଭତା ବାବଦକୁ ୫୦୦ ଟଙ୍କା ମିଳୁଛି । ଟ୍ରାଇ ସାଇକେଲଟିଏ ବି ମିଳିଛି । ଦିବ୍ୟାଙ୍ଗ ହୋଇ ବି ନିଜ ଇଚ୍ଛାଶକ୍ତି ବଳରେ ଆଗକୁ ପାଠ ପଢିବାକୁ ମନସ୍ଥ କରିଥିବା ଯଶୋଦାକୁ ଯଦି କିଛି ସହାୟତା ମିଳନ୍ତା ପିଲାଟାର ଭବିଷ୍ୟତ ଉଜ୍ୱଳମୟ ହୁଅନ୍ତା ।