ଗୋଟିଏ ହାତରେ ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ ବିଶ୍ୱକର୍ମା । ପ୍ରଶାସନର ଉଦାସୀନତାକୁ ନେଇ ଜଣାଇଛନ୍ତି ମନର କ୍ଷୋଭ

130

କନକ ବ୍ୟୁରୋ: ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ଗୋଟିଏ ହାତରେ ଗଢିଚାଲିଛନ୍ତି ଉଚ୍ଚ ଉଚ୍ଚ ମୂର୍ତ୍ତୀ । ଅନେକ ଅଭାବ ଭିତରେ ବି କଳା ପ୍ରତି ତାଙ୍କର ନିଶା ତାଙ୍କୁ ବଞ୍ଚିବାକୁ ସାହାସ ଦେଉଛି । ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ର ଦିବ୍ୟାଙ୍ଗ ମୂର୍ତ୍ତି କାରିଗର ବୀରକିଶୋର ସାହୁଙ୍କ କଥା ।

ମାଟି ଆଉ ଜୀବନ ଏଠି ଏକାକାର । ସମୟ ଗଡିଚାଲିଛି, ତା ଭିତରେ ଜୀବନ ଦେଖିଛି ଅନେକ ସମସ୍ୟା ହେଲେ ଅଟକିନି ଇଚ୍ଛାଶକ୍ତି । ଅଙ୍କାବଙ୍କା ପ୍ରତିକୂଳ ସ୍ଥିତି ଭିତରେ ବି ଆଗକୁ ବଢାଇନେଉଛି ମନର ଦୃଢ ଭାବନା । ସବୁବେଳେ ମାଟିକୁ ଆଉ ତାକୁ ନେଇ ନିଜ କଳାକୁ ସାକାର ରୂପ ଦେଉଥିବା କଳାକାର ଏଠି ବଞ୍ଚିଛି । ତାଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡିନି ସତ ହେଲେ ନିଜ ଭାବନାକୁ ସବୁବେଳେ ନିଖୁଣ ରୂପ ଦେବାରେ ସେ କେବେବି ଅବହେଳା କରିନାହାଁନ୍ତି । ଏପରି ଜଣେ ମୂର୍ତ୍ତି କାରିଗର ହେଉଛନ୍ତି ବୀରକିଶୋର ।

ବିଭିନ୍ନ ପର୍ବପର୍ବାଣୀରେ ଲୋକଙ୍କ ଚାହିଦାକୁ ନେଇ ଗଢିଚାଲନ୍ତି ବିଭିନ୍ନ ଦେବାଦେବୀଙ୍କ ମୁର୍ତ୍ତି । ଏଥିରେ ତାଙ୍କର ଭାରୀ ଖୁସି । ହେଲେ ନିୟତି ଆଜି ତାଙ୍କ ପ୍ରତି କଠୋର ହୋଇଛି । ଗତ ୬ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି ବିରକିଶୋର । ଫଳରେ ଗୋଟିଏ ହାତ, ଗୋଟିଏ ଗୋଡ ତାଙ୍କର ଅଚଳ ହୋଇପଡିଛି । ଅନ୍ୟ ଗୋଟିଏ ହାତରେ ସେ ମୂର୍ତ୍ତିା ଛାଞ୍ଚ ପକାଇବା ଠାରୁ ଆରମ୍ଭ କରି ଛଣ ବାନ୍ଧିବା , ଶେଷ ରୂପ ଯାଏଁ ସବୁ କାମ ଏକାଏକା କରିଚାଲନ୍ତି । ତାଙ୍କର ସେଇ ଗୋଟିଏ ହାତରେ ରୂପ ପାଆନ୍ତି ସୁଉଚ୍ଚ ଦେବାଦେବୀଙ୍କ ମୁଣ୍ମୟୀ ମୂର୍ତ୍ତି । କେବେ କେମିତି ସମସ୍ୟା ହେଲେ ସାହଯୋଗ କରନ୍ତି ପୁଅ । ନଚେତ୍ ଏକାଏକା ମାଟିକୁ ଜୀବନ୍ୟାସ ଦିଅନ୍ତି ଏହି ଦିବ୍ୟାଙ୍ଗ ବିଶ୍ୱକର୍ମା

ହେଲେ ଅବଶୋଷ ଅଭାବରେ ଥିଲେ ବି ଏଯାଏଁ ତାଙ୍କ ଉପରେ ପଡିନି ପ୍ରଶାନର ଦୃଷ୍ଟି । ମିଳିନି କୌଣସି ସରକାରୀ ସୁବିଧା । ଫଳରେ ତାଙ୍କ ମନରେ ରହିଛି ପ୍ରଶାସନ ପ୍ରତି ଉଦାସୀନତା । ଏପରି ସ୍ଥଳେ ତାଙ୍କର ଏପରି ଅବସ୍ଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ସ୍ଥାନୀୟ ସମାଜସେବୀ । କଳାକାର , କାରିଗରଙ୍କ ହାତରେ ବଞ୍ଚିରହିବ ଆମ ସଂସ୍କୃତି । ତେଣୁ ବୀରକିଶୋରଙ୍କ ପରି କାରିଗରଙ୍କୁ ସରକାରୀ ସାହାଯ୍ୟ କରିବାକୁ ଅନୁରୋଧ ।