ଅପେକ୍ଷାର ଅନ୍ତ! ୧୪ବର୍ଷ ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତା

26

କନକ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ହେଲା । ୧୪ ବର୍ଷ ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତା । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ଦାଳ ଗାଁର ଦିବ୍ୟାଙ୍ଗ ଚିନ୍ମୟୀ ବେହେରାଙ୍କୁ ଗତ ୧୩ ତାରିଖ ଦିନ ତାଙ୍କ ଘରେ ଭିନ୍ନକ୍ଷମ ଭତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଚିନ୍ମୟୀ ଜନ୍ମରୁ ସ୍ନାୟୁରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି । ଜନ୍ମରୁ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଖର୍ଚାନ୍ତ କରି ନୟାନ୍ତ ହୋଇସାରିଥିଲେ ଚିନ୍ମୟୀଙ୍କ ବାପା ଅକ୍ଷୟ ବେହେରା । ଏତେ ଟଙ୍କା ଖର୍ଚ କରି ଯେତିକି ଦୁଃଖ ନଥିଲା ପ୍ରଶାସନର ଉପହାସ ତାଙ୍କୁ ଖୁବ କଷ୍ଟ ଦେଇଥିଲା । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ ବୋଲି ଦୁଃଖର ସହ କହିଛନ୍ତି ଅକ୍ଷୟ । ଆଉ ଭତା ପାଇଲା ପରେ ତାଙ୍କ ଖୁସି କହିଲେ ନସରେ ।
୨୦୧୦ରେ ଚିନ୍ମୟୀଙ୍କୁ ମିଳିଥିଲା ଭିନ୍ନକ୍ଷମ ସାର୍ଟିଫିକେଟ । କିନ୍ତୁ ଭତା ମିଳିଲା ୨୦୧୭ ଅକ୍ଟୋବର ୧୩ରେ । ଏହା ପ୍ରଶାସନ ପାଇଁ ଯେତିକି ଲଜ୍ଜାଦାୟକ, ଦିବ୍ୟାଙ୍ଗ ପରିବାର ପାଇଁ ସେତିକି ଦୁଃଖଦାୟକ ମଧ୍ୟ । ପାଠପଢିବା ବୟସରେ ଝିଅ ବିଛଣାରେ ପଡି ରହିବା ବାପାମାଆଙ୍କ ଦୁଃଖ କୁ ଆହୁରି ବଢାଇଦେଇଥିଲା । ଆଉ ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ ଚିନ୍ମୟୀଙ୍କ ବାପା । ଜଳଖିଆ ଦୋକାନର ସ୍ୱଳ୍ପ ଲାଭ ଝିଅ ପଛରେ ଖର୍ଚ କରିବାକୁ କୁଣ୍ଠାବୋଧ କରୁନଥିଲେ । କିନ୍ତୁ ସରକାରୀ ଯୋଜନା ପାଇବା ପାଇଁ ଅକ୍ଷୟ ବାରମ୍ବାର ଦୌଡିଥିଲେ ପ୍ରଶାସନ ନିକଟକୁ । ତଥାପି ଶୁଣିନଥିଲା ପ୍ରଶାସନ । କନକ ନ୍ୟୁଜର ହସ୍ତକ୍ଷେପ ଫଳରେ ଶେଷରେ ପ୍ରଶାସନ ମୁଣ୍ଡନୁଆଁଇଲା । ଆଉ ଚିନ୍ମୟୀଙ୍କ ଘରେ ଭତା ଆଣିଦେବାକୁ ବାଧ୍ୟ ହେଲା ।
ତେବେ ଆଖି ସାମ୍ନାକୁ ଆସିଥିବା ଯାଜପୁରର ଚିନ୍ମୟୀଙ୍କ ପରି ଆମ ରାଜ୍ୟର ଅନେକ ଚିନ୍ମୟୀ ଭତା ନପାଇ ହଇରାଣ ହେଉଛନ୍ତି । ଦୌଡୁଛନ୍ତି ଏ ଅଫିସରୁ ସେ ଅଫିସକୁ । ତଥାପି ବଦଳୁନି ଆମ ସରକାରୀ ଅଧିକାରୀଙ୍କ ମାନସିକତା,ପରିବର୍ତନ ହେଉନି ସରକାରୀ ବାବୁଙ୍କ ଚିନ୍ତାଧାରା । ସରକାରୀ ଯୋଜନାର ସୁଫଳ ଲୋକମାନଙ୍କ ନିକଟରେ ପହଂଚାଇବାରେ ପ୍ରଶାସନର ଭୂମିକା ଏଥିରୁ ସ୍ପଷ୍ଟ ଅନୁମେୟ ।