ସାନିଟାଇଜରକୁ ନେଇ ସତର୍କ କରାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ: ଶରୀର ପାଇଁ ଭାରି ବିପଦ ହ୍ୟାଣ୍ଡ ସାନିଟାଇଜର? ଆଖି, ନାକ ଏବଂ ପାଟିଠାରୁ ‘ସାନିଟାଇଜର’କୁ ଦୂରେଇ ରଖିବାକୁ ଡାକ୍ତରଙ୍କ ପରାମର୍ଶ

2,561

କନକ ବ୍ୟୁରୋ: ବିଶ୍ୱ ବ୍ୟାପୀ ଭୟଙ୍କର ତାଣ୍ଡବ ରଚିଚାଲିଛି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ପରିଷ୍କାର-ପରିଚ୍ଛନ୍ନ ରହିବା ସହ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷାକରିବାକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ଏହି ଘାତକ ଭୁତାଣୁରୁ ବର୍ତ୍ତିବା ପାଇଁ ହାତକୁ ବାରମ୍ବାର ଧୋଇବାକୁ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏଥି ସହିତ ହ୍ୟାଣ୍ଡ ସାନିଟାଇଜରରେ ହାତକୁ ସଫା କରିବାକୁ ମଧ୍ୟ କୁହାଯାଇଛି । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟ ଏବେ ସାନିଟାଇଜରକୁ ନେଇ ବିଶେଷଜ୍ଞମାନେ ଦେଇଥିବା ସମସ୍ତ ପରାମର୍ଶକୁ ଦୋହଲାଇ ଦେଇଛି ।

ଜାତୀୟ ଗଣମାଧ୍ୟମ ଏଏନଆଇକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡିସନାଲ ଜେନେରାଲ ଡକ୍ଟର ଆରକେ ବର୍ମା କହିଛନ୍ତି ଯେ, ହ୍ୟାଣ୍ଡ ସାନିଟାଇଜରର ମାତ୍ରାଧିକ ବ୍ୟବହାର  ଶରୀର ପାଇଁ କ୍ଷତିକାରକ ସାଜିପାରେ । କାହିଁକି ନା ସାନିଟାଜରରେ ସାଧାରଣତଃ ଆଲକୋହଲର ମାତ୍ରା ଅଧିକ ଥାଏ । ଯାହା ଶରୀରକୁ ଘାତକ ଭାଇରସରୁ ରକ୍ଷା କରିବା ସହିତ ମଣିଷ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ବ୍ୟାକ୍ଟେରିଆକୁ ମଧ୍ୟ ମାରିଦେଇଥାଏ । ଏହା ସହିତ ଅଧିକ ମାତ୍ରାରେ ସାନିଟାଇଜର ବ୍ୟବହାର ଶରୀର ପାଇଁ ବିପଦ ବୋଲି ସତର୍କ କରାଇଛନ୍ତି ଆରକେ ବର୍ମା ।

ଆଖି ଓ ପାଟିଠାରୁ ସାନିଟାଇଜରକୁ ଦୂରେଇ ରଖିବାକୁ ପରାମର୍ଶ

ଏହାଛଡା ସାନିଟାଇଜର ସ୍କିନ୍କୁ ଡ୍ରାଏ କରିଦେଇଥାଏ  । ସାନିଟାଇଜର ଲଗାଇବା ସମୟରେ ନିଆଁଠାରୁ ବି ଦୂରେଇ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏଥି ସହିତ ସାନିଟାଇଜରକୁ ଉଭୟ ଆଖି ଏବଂ ପାଟିଠାରୁ ଦୂରେଇ ରଖିବାକୁ ସତର୍କ କରାଇବା ସହ ସାନିଟାଇଜର ଅପେକ୍ଷା ସାବୁନରେ ହାତକୁ ଧୋଇବା ବେଶ୍ ଭଲ ଏବଂ ସୁରକ୍ଷିତ ବୋଲି କହିଛନ୍ତି । ତେଣୁ ସାନିଟାଇଜରର ବ୍ୟବହାର ଯେତେ ସମ୍ଭବ କମ କରିବା ଉଚିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ପରାମର୍ଶ ଦିଆଯାଇଛି ।