ଶିକୁଳିରେ ବନ୍ଧା ଜୀବନ : ୮ ବର୍ଷ ହେଲା ହାତ ଓ ଗୋଡରେ ପଡିଛି ଲୁହାର ବେଡି

43

କନକ ବ୍ୟୁରୋ : ଗୋଡ ଓ ହାତରେ ପଡିଛି ଲୁହାର ବେଡି । ୮ ବର୍ଷ ହେବ ଶିକୁଳିରେ ବନ୍ଧା ପଡିଛି ଜୀବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାମଚନ୍ଦ୍ରପୁର ଗାଁରେ । ଗଣେଶ୍ୱର ପ୍ରଧାନ । ଘରର ଏକମାତ୍ର ରୋଜଗାରିଆ ପୁଅ । ରାଜ୍ୟ ବାହାରକୁ ଯାଇ ଚାକିରି କରି ପରିବାର ଚଳାଉଥିଲେ । କିନ୍ତୁ ହଠାତ୍ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ । ଗଣେଶ୍ୱରଙ୍କୁ ଭଲ କରିବାକୁ ଧାର କରଜ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ପରିବାର ଲୋକେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତନ ଆସିଲାନି । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଅଧିକ ଚିକିତ୍ସା କରିପାରିଲେନି ପରିବାର ଲୋକେ । ଫଳରେ ୮ ବର୍ଷ ହେବ ଲୁହାର ଶିକୁଳିରେ ବନ୍ଧା ପଡିଛନ୍ତି ଗଣେଶ୍ୱର ।

ଘରେ ଗଣେଶ୍ୱରଙ୍କ ସ୍ତ୍ରୀ ଓ ଦୁଇ ଝିଅ । ଘରର ମୁଖ୍ୟ ରୋଜଗାରିଆ ସ୍ୱାମୀ ମାନସିକ ଭାରସାମ୍ୟ ହରାଇବା ପରେ ବହୁତ କଷ୍ଟରେ ଚଳୁଛନ୍ତି ପରିବାର । ନା ଅଛି ଭତ୍ତା ନା ସରକାରୀ ସାହାଯ୍ୟ । ନିର୍ମାଣ ଶ୍ରମିକ ଭାବରେ ଏକ ଘର ଯୋଗାଇ ଦିଆଯାଇଛି କିନ୍ତୁ ଆଜି ଯାଏ ତିଆରି ହୋଇପାରୁନାହିଁ । ଘର ନିର୍ମାଣ ଓ ଗଣେଶ୍ୱର ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମହାକାଳପଡା ବିଡିଓ ।

ଶୋଇବା ବସିବା ଏଭଳିକି ଖାଇବାବେଳେ ବି ଗୋଡରୁ ବେଡି ଖୋଲୁନି । ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଗଣେଶ୍ୱରଙ୍କର ଚିକିତ୍ସା ନିମନ୍ତେ ସାହାଯ୍ୟର ହାତ ବଢାଇବା ପାଇଁ ଦାବି ହେଉଛି ।