କନକ ବ୍ୟୁରୋ : ହମାସର ନୂଆ ମୁଖ୍ୟ ଦାୟୀତ୍ବ ନେବା ପରେ ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ଇରାକ୍ର ଅଲ୍-ଅସାଦ୍ ଠାରେ ଥିବା ଆମେରିକା ଓ ମିଳିତ ବାହିନୀର ସୈନ୍ୟ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଆମେରିକା ଏଥିରେ ମୁଣ୍ଡ ମୁରାଇବା ଆରମ୍ଭ କରିଛି। ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକ ଆହତ ହୋଇଥିବା ଜଣାଯାଇଛି। ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ କିମ୍ବା ରାଷ୍ଟ୍ର ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ରହିଛି ବୋଲି ଅନୁମାନ କରାଯାଉଛି। ଯେଉଁମାନେ ଏହି ଆକ୍ରମଣ ପଛରେ ଅଛନ୍ତି ସେମାନଙ୍କୁ ଏଥିପାଇଁ ନିଶ୍ଚିତ ଉତ୍ତରଦାୟୀ କରାଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଅପରପକ୍ଷରେ, ଅଲ-ଅସାଦ୍ ସେନା ଶିବିର ଉପରେ ଆକ୍ରମଣ ନେଇ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଓ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ କଥାବର୍ତ୍ତା କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ଉସୁକାଇବାକୁ ଇରାନ ଉଦ୍ୟମ କରୁଛି ଓ ଆକ୍ରମଣ ନିମନ୍ତେ ‘ଛାୟା ସଂଗଠନ’କୁ ପ୍ରୋତ୍ସାହିତ କରୁଛି। ଲେବାନନ, ୟେମେନ, ସିରିୟା, ଜୋର୍ଡାନ, ଇରାକ ଆଦି ରାଷ୍ଟ୍ରରେ ଇରାନ୍ର ପ୍ରକ୍ସିମାନେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବ୍ୟାପକ ପ୍ରୟାସ ଚଳାଇଛନ୍ତି।

Advertisment