ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ

150

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ହମାସ-ଇସ୍ରାଏଲ ମଧ୍ୟରେ ଯେଉଁ ବୁଝାମଣା ଚୁକ୍ତି ହୋଇଥିଲ କ୍ରମଶ ତାହା ସଫଳ ହେଉଛି । ଶୁକ୍ରବାର ପ୍ରଥମ ପଯ୍ୟାୟରେ ୨୪ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ପରେ ଶନିବାର ୨ୟ ପର୍ଯ୍ୟାୟରେ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଏମାନଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ, ୧୦ଜଣ ଥାଇଲ୍ୟାଣ୍ଡ ଓ ଜଣେ ଫଲିିଫିନୋ ନାଗରିକ ରହିଛନ୍ତି । ଶନିବାର ଆଉ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିପାରେ ହମାସ । ବାକି ଥିବା ଆଉ ୧୨ଜଣ ପଣବନ୍ଦୀଙ୍କୁ ରବିବାର ମକ୍ତ କରିବା ନେଇ ହମାସ ପକ୍ଷରୁ କୁହାଯାଇଛି ।

୪ ଦିନର ଯୁଦ୍ଧ ବିରତି ପାଇଁ ହମାସ-ଇସ୍ରାଏଲ ପକ୍ଷରୁ ଚୁକ୍ତି ହୋଇଛି । କତାର ଏହାର ମଧ୍ୟସ୍ତତା କରିଛି । ପଣବନ୍ଦୀଙ୍କୁ ଛାଡିବା ବଦଳରେ ୪ଦିନ ପାଇଁ ଯୁଦ୍ଧରେ ଲାଗିଛି ବିରାମ । ତେବେ ଚୁକ୍ତି ଅନୁଯାୟୀ ଯେତେଜଣ ପାଲେଷ୍ଟାଇନ ନାଗରିକଙ୍କୁ ଇସ୍ରାଏଲ ବନ୍ଧକ ରଖିଛି ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ । ୩୫୦ଜଣ ପାଲେଷ୍ଟାଇନ ନାଗରିକଙ୍କ ମଧ୍ୟରୁ ଶନିବାର ୪୨ଜଣ ପାଲେଷ୍ଟେନୀୟଙ୍କୁ ମୁକ୍ତ କରିଛି ଇସ୍ରାଏଲ ।

ଯୁଦ୍ଧ ବିରତି ଭିତରେ ଉଭୟ ପଟୁ ପଣବନ୍ଦୀଙ୍କ ମୁକ୍ତ କରାଯାଉଛି । ଏହା ଉପରେ ପ୍ରତିକ୍ରିୟା ରଖିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଚାପ ଯୋଗୁଁ ମୁଣ୍ଡ ନୁଅାଁଇଛି ହମାସ । ଆଉ କିଛି ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ଚେଷ୍ଟା କରାଯିବା ଉଚିତ୍ ।

ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଅନ୍ୟପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ବିବାଦ ସୃଷ୍ଟି କରିଛି । ସଂଜୟ ରାଉତ ସ୍ପେଶ ଏକ୍ସରେ ଇସ୍ରାଏଲକୁ ଇଙ୍ଗିତ କରି ହିଟଲର ଲେଖିଥିଲେ । ଏନେଇ ଭାରତ ସରକାରଙ୍କୁ ଚିଠି ଲେଖି ବିରୋଧ ପ୍ରକାଶ କରିଛି ଇସ୍ରାଏଲ ହାଇ କମିଶନ । ସୂଚନାଯୋଗ୍ୟ ଯେ, ୪୯ ଦିନରେ ପହଞ୍ଚିଛି ଯୁଦ୍ଧ । ଉଭୟ ପଟୁ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନି ସହ ବେହିସାବ କ୍ଷୟକ୍ଷତି ହେଉଛି । ଏହା ଭିତରେ ୪ଦିନର ଯୁଦ୍ଧ ବିରତି ପରେ ଇସ୍ରାଏଲ ଆଗାମୀ ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।