କନକ ବ୍ୟୁରୋ : ଗାଜା ପଟ୍ଟୀ ଉପରେ ହମାସ ଆତଙ୍କୀ ସଂଗଠନର ଆକ୍ରମଣ ମଧ୍ୟରେ ହମାସର ଭାରତ ସହ ଅପରାଧୀକ ସଂପର୍କ ଥିବା ଏକ କଥା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀରୁ ଚୋରି ହୋଇଥିବା କ୍ରିପ୍ଟୋ କରେନ୍ସି ହମାସ ସଂଗଠନ ନିକଟରେ ପହଂଚିଥିବା କଥା କୁହାଯାଉଛି । ଦିଲ୍ଲୀ ପୋଲିସ ତାର ଯାଂଚ ରିପୋର୍ଟରେ ଏଭଳି ସୂଚନା ଦେବା ପରେ ଚମକି ପଡିଛନ୍ତି ସୁରକ୍ଷା ଏଜେନ୍ସି ।

Advertisment

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୨୦୨୧ ମସିହାରେ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ସେଲ ପଶ୍ଚିମ ଦିଲ୍ଲୀର ଏକ ବ୍ୟବସାୟୀଙ୍କ ୱାଲେଟରୁ ପାଖାପାଖି ୪ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଚୋରି ନେଇ ଯାଂଚ କରିଥିଲା । ଚୋରି ପରେ ପ୍ରାଥମିକ ଭାବେ ଟ୍ରାନ୍ସଫର କରାଯାଇଥିବା ୱାଲେଟ ଆଇଡିର ସନ୍ଧାନ କରିବାରେ ଦିଲ୍ଲୀ ପୋଲିସ ସଫଳ ହୋଇଥିଲା । ହେଲେ ସମ୍ପୂର୍ଣ୍ଣ ମୁଦ୍ରାକୁ ଶେଷ ପର୍ଯ୍ୟାୟରେ କାହା ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା ତାହା ସନ୍ଧାନ କରିବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଥିଲା ।

ହେଲେ ଠିକ୍ ସେହି ସମୟରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ତରଫରୁ ଭାରତରେ ଥିବା ତାଙ୍କ ସମକକ୍ଷ ଅଧିକାରୀଙ୍କ ସହ ନିୟମିତ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା ଅବସରରେ ଆତଙ୍କୀ ଫଣ୍ଡିଂ ପାଇଁ ଆତଙ୍କବାଦୀ ସଂଗଠନମାନେ ସଂଚାଳିତ କିଛି ସନ୍ଦିଗ୍ଧ ୱାଲେଟ ବାବଦରେ ସୂଚନା ଦେଇଥିଲେ ।

ଏହି ସୂୁଚନାକୁ ଆଧାର କରି ଦିଲ୍ଲୀରୁ ଲୁଟ ହୋଇଥିବା କ୍ରିପ୍ଟୋ କରେନ୍ସି ୱାଲେଟ ଶେଷଥର ପାଇଁ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ତାହାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟାଟେଜିକ ଓପ୍ସ ୟୁନିଟ ୱାଲେଟକୁ ନେଇ ଏକ ଯାଂଚ ଆରମ୍ଭ କରିଥିଲା । ସେତେବେଳେ ଜଣାପଡିଥିଲା କି, ଦିଲ୍ଲୀରୁ ଚୋରି ହୋଇଥିବା ବିଟ୍ କଏନ ଏଭଳି ଏକ ଆକାଉଣ୍ଟକୁ ପଠାଯାଇଥିଲା, ଯେଉଁ ଆକାଉଣ୍ଟ ହମାସ ସାଇବର ଟେରର ଫଣ୍ଡିଂ ଶାଖା ଦ୍ୱାରା ସଂଚାଳିତ କରାଯାଉଥିଲା ।