ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ

977

କନକ ବ୍ୟୁରୋ : ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲସିଫା ହସ୍ପିଟାଲ । ଏହାରି ତଳେ ରହିଛି ହମାସର ବିରାଟ ସୁଡ଼ଙ୍ଗ । ଯେବେଠୁ ଇସ୍ରାଏଲ ସେନା ଗ୍ରାଉଣ୍ଡ ଜିରୋ ଅପରେସନ ଆରମ୍ଭ କରିଛି ସେବେଠୁ ଗୋଟିଏ ପରେ ଗୋଟିଏ ସୁଡଙ୍ଗ ଠାବ କରୁଛି । ଏବେ ଇସ୍ରାଏଲ ସେନା କିଛି ଭିଡିଓ ଜାରି କରିଛି । ଯେଉଁଥିରେ ସୁଡଙ୍ଗର ଭିତରର ଚିତ୍ର ସାମ୍ନାକୁ ଆସିଛି । ଏହି ସୁଡ଼ଙ୍ଗର ଲମ୍ବା ଥିଲା ୧୫୦ ମିଟର । ସୁଡ଼ଙ୍ଗ ଯେଉଁଠାରେ ସରୁଥିଲା, ସେଠାରେ ଆତଙ୍କବାଦୀଙ୍କ ଲୁଚି ରହିବା ପାଇଁ ଛୋଟ ଛୋଟ ଘର ଥିଲା, ଘରେ ଏୟାର କଣ୍ଡିସନର ରହଥିଲା । ରୋଷେଇ ଘର, ଗାଧୋଇବା ଘର ଓ ବିଛଣା ରହିଥିଲା ।

ଆତଙ୍କୀ ସଂଗଠନ ହମାସର ଏପରି କଳା କାରନାମା ଏବେ ପଦାକୁ ଆସିବା ପରେ ବେଶ ଆଶ୍ଚଯ୍ୟ ଲାଗୁଛି ।  ଏହି ଭିଡିଓ ପ୍ରମାଣ କରୁଛି ଏହି ସୁଡଙ୍ଗ ବେଶ ପୁରୁଣା । ଯେଉଁଠି ଆଡ୍ଡା କରି ସିକ୍ରେଟ ମିଶନ କରିଥିଲା ହମାସ । ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ କରି ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ହମାସ୍ । ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ କରିବା ପରେ ଗୋଟିଏ ପରେ ଗୋଟେ ସୁଡ଼ଙ୍ଗ ଠାବ କରିଛି ।

ସେପଟେ ଯୁଦ୍ଧକୁ କିଛି ଦିନ ପାଇଁ ସାମୟିକ ଭାବେ ବନ୍ଦ କରି ପଣବନ୍ଦୀ ମୁକ୍ତ କରାଯିବା ନେଇ ଆଲୋଚନା ଚାଲିଛି । ହେଲେ ଏଯାଏଁ କୌଣସି ନିଷ୍ପତିରେ ଉଭୟ ପକ୍ଷ ପହଂଚିପାରି ନାହାନ୍ତି । ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ ଭିତରେ ପଶି ବର୍ବର କାଣ୍ଡ ଘଟାଇଥିଲେ । ଏହି ଆକ୍ରମଣରେ ପ୍ରାୟ ୧୫ ଶହ ଲୋକଙ୍କର ପ୍ରାଣ ଯାଇଥିଲା । ଏହା ପରେ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚଳାଇଛି ଇସ୍ରାଏଲ   ।