ସିଦ୍ଧୁଙ୍କୁ ଆମ ସିଦ୍ଧୁ ବୋଲି ସମ୍ବୋଧନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାଇରାଲ ହେଲା କର୍ତାରପୁର କରିଡର ଉଦଘାଟନ୍ ବେଳର ଦୃଶ୍ୟ, ଇମ୍ରାନ କହିଥିଲେ ସିଦ୍ଧୁଙ୍କୁ ବନାଇବେ ହିରୋ ।

318

କନକ ବ୍ୟୁରୋ : ଗତ ଶନିବାର ଦିନ କର୍ତାରପୁର କରିଡର ଉଦଘାଟନରେ ସାମିଲ ହୋଇଥିଲେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏଥିରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଇମ୍ରାନ ଖାନ୍, ସିଦ୍ଧୁଙ୍କ ବିଷୟରେ ପଚାରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଇମ୍ରାନ ଖାନ ପଚାରୁଛନ୍ତି ଆମ ସିଦ୍ଧୁ କେଉଁଠି ? ଆଉ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି ଏହି ଭିଡିଓ ।

ଏକ ମିନିଟ୍ ୫୫ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କର୍ତାରପୁର କରିଡରରେ ପହଂଚିବା ପାଇଁ ବସରେ ଯାତ୍ରା କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପ୍ରତିନିଧି ଦଳ । ଯେଉଁଠି ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ ପଚାରିବାକୁ ଯାଇ ଇମ୍ରାନ ଖାନ କହୁଛନ୍ତି ଯେ, ଆଚ୍ଛା ଆମର ସେଇ ସିଦ୍ଧୁ କେଉଁଠି ଅଛି ? ମୁଁ କହୁଛି ଆମର ସିଦ୍ଧୁ । ଯାହାର ଜବାବ ରଖିଛନ୍ତି ତାଙ୍କର ଜଣେ ମହିଳା ମନ୍ତ୍ରୀ । ଏବଂ କହିଛନ୍ତି ସିଦ୍ଧୁଙ୍କୁ ଅନୁମତି ମିଳୁନଥିଲା । ଯାହାର ଉତ୍ତରରେ ପୁଣି ଇମ୍ରାନ କହିଛନ୍ତି ଯେ, ତାଙ୍କୁ ହିରୋ ବନାଇବା । ଏହାପରେ ମହିଳା ମନ୍ତ୍ରୀ ଜଣକ କହିଛନ୍ତି ଯେ ସବୁ ଚ୍ୟାନେଲରେ ହେଡଲାଇନ୍ସ ବନିବେ ସିଦ୍ଧୁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ପର୍କରେ ମଧ୍ୟ ଇମ୍ରାନ ଖାନ ପଚାରୁଥିବାର ନଜର ଆସିଛନ୍ତି ।

ଦୀର୍ଘ ବର୍ଷର ଅପେକ୍ଷା ପରେ ଗତ ଶନିବାର ଦିନ କର୍ତାରପୁର କରିଡର ଉଦଘାଟନ ହୋଇଛି । ଉଦଘାଟନ ସମୟର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଅବସରରେ ନବଜୋତ ସିଂ ସିଦ୍ଧୁଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଥିଲା ପାକିସ୍ତାନ । ଯେଉଁଥିରେ ଯୋଗଦେଇ ପୁଣି ଥରେ ବିଜେପିର ଟାର୍ଗେଟକୁ ଚାଲିଆସିଛନ୍ତି ସିଦ୍ଧୁ । ଅପରପକ୍ଷରେ ଇମ୍ରାନ ଖାନ ଏହି ଭାଇରାଲ ଭିଡିଓ ସିଦ୍ଧୁଙ୍କ ସମସ୍ୟାକୁ ବଢାଇ ଦେଇଛି । ଯେଉଁଥିରେ ଇମ୍ରାନ, ସିଦ୍ଧୁଙ୍କୁ ଆମ ସିଦ୍ଧୁ କହୁଥିବାର ନଜର ଆସିଛନ୍ତି ।