ଜାପାନରେ ହେଲୋୱିନ୍ ଆତଙ୍କ । ମୁଖା ପିନ୍ଧି ଆସି ଟ୍ରେନରେ ଆକ୍ରମଣ କଲା ଜୋକର ।

76

କନକ ବ୍ୟୁରୋ: ଜାପାନରେ ଜୋକର ଆତଙ୍କ । ଏହି ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି । ଜୋକର ମୁଖାରେ ଜଣେ ଯୁବକ ଆସି ଅଚାନକ ଏକ ଟ୍ରେନ୍ ଭିତରେ ଥିବା ଯାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲା । ଅନେକ ଗୁରୁତର ଆହତ ହୋଇଥିଲେ । ଜୀବନ ବଞ୍ଚାଇବାକୁ ଲୋକେ ଦୌଡିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିଲା । ପ୍ରକୃତ ଘଟଣା ଥିଲା ଏହିପରି ।

 

ନିକଟରେ ଦୁନିଆର ଅନେକ ଦେଶରେ ହେଲୋୱିନ୍ ନାମରେ କାର୍ଯ୍ୟକ୍ରମ ଚାଲୁଥିଲା । ଏହି ପର୍ବ ବିଶେଷ କରି ଖ୍ରୀଷ୍ଟିୟାନ ଧର୍ମାବଲମ୍ବି ଦେଶ ମାନଙ୍କରେ ପାଳନ କରାଯାଏ । ଏଠିକାର ଲୋକଙ୍କ ବିଶ୍ୱାସ ରହିଛି ଯେ ହାଲୋୱିନ୍ ରାତିରେ ଜାଗି ଉଠନ୍ତି ସବୁ ପ୍ରେତଆତ୍ମା । ଆଉ ଲୋକଙ୍କୁ ଡରାଇଥାନ୍ତି । ହେଲେ ଏହି ପ୍ରେତାତ୍ମାଙ୍କୁ ଘଉଡାଇବାକୁ ସାଧାରଣ ଜନତା ମଧ୍ୟ ଜୋକର ମୁଖା କିମ୍ବା ଭୁତ ମୁଖା ପିନ୍ଧି ଏମାନଙ୍କୁୁ ଘଉଡାଇଥାନ୍ତି । ଯାହା ସେଠିକାର ଏକ ଲୋକପ୍ରିୟ ସଂସ୍କୃତି ।ଏଥିପାଇଁ ଜାପାନର ବିଭିନ୍ନ ସ୍ଥାନରେ ମଧ୍ୟ ଚାଲିଥିଲା ହାଲୋୱିନ୍ ପାର୍ଟି । ହେଲେ ଏହି ସମୟରେ ଏକ ଟ୍ରେନରେ ଏପରି କିଛି ଘଟିଲା ଯାହାକୁ ନେଇ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଗଲା ।

 

ଟ୍ରେନଟି ସିବୁଆ ଜିଲ୍ଲାରୁ ଟୋକିଓକୁ ଯାଉଥିଲା । ହେଲୋୱିନ୍ ପାର୍ଟି ପାଇଁ ସିବୁଆ ବେଶ୍ ପ୍ରସିଦ୍ଧ । ଟ୍ରେନ ଭିତରେ ଯାତ୍ରା କରୁଥିଲେ ସିବୁଆରେ ଆୟୋଜିତ ହେଲୋୱିନ୍ ପାର୍ଟିରେ ଯୋଗ ଦେଇଥିବା ଲୋକେ । ଏମାନଙ୍କ ଧ୍ୟରେ ଅଧିକାଂଶ ଥିଲେ ଯୁବକ । ଟ୍ରେନ୍ ଭିତରକୁ ଜୋକର ମୁଖା ପିନ୍ଧି ୨୪ ବର୍ଷିୟ ଜଣେ ଯୁବକ ବି ପଶିଥିଲା ।ହେଲେ କେହି କିଛି ବୁଝିବା ଆଗରୁ ଯାତ୍ରୀଙ୍କ ଉପରେ ଆରମ୍ଭ କରିଥିଲା ଆକ୍ରମଣ । ହାତରେ ଥିଲା ଛୁରା, ଜ୍ୱଳନଶୀଳ ଲିକ୍ୱିଡ ଓ ଲାଇଟର । ଅନେକ ଯାତ୍ରୀ ଆହତ ହୋଇଥିଲେ ଅନ୍ୟମାନେ ବିକଳରେ ଦୌଡିଥିଲେ ।ଦୁର୍ବୃତ୍ତକୁ ରେଲୱେ ପୋଲିସ ଗିରଫ କରିଥିଲା । ପୋଲିସ୍ ଆଗରେ ଦୁର୍ବୃତ୍ତ ଯାହା ବୟାନ କଲା ତାହା ଆପଣଙ୍କୁ ଚକିତ କରିବ ।

ଜୋକର ବେଶରେ ଆକ୍ରମଣ କରିଥିବା ଏହି ଯୁବକର ନାଁ କୋୟତା ଆତୋରି । ବୟସ ୨୪ । ତା’ର କହିବା ମୁତାବକ, ସେ ଏପରି ନଥିଲା । ହେଲେ କରୋନା ତାକୁ ଏମିତି କରିଦେଲା । କରୋନା ଯୋଗୁଁ ତା ହାତରୁ କାମ ଚାଲିଗଲା । ଅନେକ ସାଙ୍ଗସାଥୀ ତା’ ପାଖରୁ ଦୂରେଇ ଗଲେ । ଭାରି ଏକା ହୋଇଗଲା କୋୟତା । ଆଉ ନିଃସଙ୍ଗବୋଧର ଯନ୍ତ୍ରଣାରୁ ମୁକ୍ତି ପାଇଁ ଚାହୁଁଥିଲା ମୃତ୍ୟୁ । ତେଣୁ କିଛି ଲୋକଙ୍କୁ ହତ୍ୟା କଲେ ତାକୁ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଭାବି ଏପରି ଘଟଣା ଘଟାଇଥିଲା । ହେଲେ ଦୁର୍ଭାଗ୍ୟକୁ ପୋଲିସ ହାତରେ ଧରାପଡିଗଲା । ରେଲୱେ ପୋଲିସ ଯୁବକ ଉପରେ ମାମଲା ଦାଏର କରି ଯାଞ୍ଚ ଚଳାଇଛି ।