ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ବିନା ହଲମାର୍କ ସୁନା ଗହଣା ବିକିବା ହେବ ଅପରାଧ; ଜେଲ ଯାଇପାରନ୍ତି ଦୋକାନୀ

867

କନକ ବ୍ୟୁରୋ: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର ।  ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମୀର ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନା ଗହଣା କିଣିଥାନ୍ତି । କିନ୍ତୁ ଏବେଠାରୁ ଏହି ଠକାମୀରେ ପଡିଛି ପୂର୍ଣ୍ଣଚ୍ଛେଦ । କାରଣ ଆଜିଠାରୁ ହଲମାର୍କ ସମ୍ବଦ୍ଧିତ ନୂଆ ନିୟମର ପ୍ରକ୍ରିୟା ଲାଗୁ କରାଯାଇଛି । ଅର୍ଥାତ ଯଦି କେହି ସୁନା ଦୋକାନୀ ବିନା ହଲମାର୍କର ସୁନା ଗହଣା ବିକ୍ରି କରନ୍ତି ଏହା ଅପରାଧ ଭାବେ ବିବେଚନା କରାଯିବ । ଏଥିପାଇଁ ସୁନା ଦୋକାନୀଙ୍କୁ ବଡ଼ ମାତ୍ରାରେ ଜରିମାନା ସାଙ୍ଗକୁ ଜେଲ ମଧ୍ୟ ଯିବାକୁ ପଡିପାରେ । ତେବେ ଏହି ଆଇନ ୧୫ ଜାନୁଆରୀ ୨୦୨୧ଠାରୁ ଲାଗୁ ହେବାକୁ ଥିବାବେଳେ ଆଜିଠାରୁ କିନ୍ତୁ ବ୍ୟବସାୟୀ ବିନା ହଲମାର୍କର ସୁନା ଗହଣା କିଣିପାରିବେ ନାହିଁ ।

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ କହିବା ଅନୁଯାୟୀ, ୧୫ ଜାନୁଆରୀ ୨୦୨୧ ପରଠାରୁ ସୁନା ଗହଣା ଉପରେ ହଲମାର୍କ ରହିବ । ତେଣୁ ହଲମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ୱାରା ଏହି ସମୟସୀମା ମଧ୍ୟରେ ପୁରୁଣା ସୁନା ଗହଣା ଷ୍ଟକ ଦୋକାନୀ ଶେଷ କରିପାରିବେ । ଏବେ ଦେଶରେ ୮୦୦ଟି ହଲମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲମାର୍କିଂ କରାଯାଉଛି ।

ହଲମାର୍କ କଣ ?

ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ସୁନା ଗହଣାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କ ମାନକକୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ) ନିର୍ଦ୍ଧାରିତ କରିଛି । ସୁନାଗହଣା ଉପରେ ବିଆଇଏସ ଦ୍ୱାରା ଚିହ୍ନିତ ହୋଇଥିବା ହଲମାର୍କ ଦ୍ୱାରା ଏହା ସ୍ୱଷ୍ଟ ହୋଇଯାଇଥାଏ ଯେ, ଏହି ସୁନାର ଲ୍ୟାବରେ ପରୀକ୍ଷଣ ସହ ଯାଞ୍ଚ କରାଯାଇଛି । ବିଆଇଏସ ୩ଟି ଗ୍ରେଡର ସୁନା ବଜାରକୁ ଛାଡ଼ିଥାଏ ଜ୍ଝ ୧୪, ୧୮ ଓ ୨୨ କ୍ୟାରେଟ ଯୁକ୍ତ ସୁନା ପାଇଁ ବିଆଇଏସ ହଲମାର୍କ ମାନକ ନିର୍ଦ୍ଧାରଣ କରିଛି ।