କନକ ବ୍ୟୁରୋ : ମୁଣ୍ଡଫଠା ଗରମରୁ ସାରା ଭାରତ ବେଶ କିଛି ଦିନ ଧରି ତ୍ରାହୀ ତ୍ରାହୀ କହିବା ପରେ ଏବେ ଭୟଙ୍କର ବନ୍ୟାରେ ବୁଡି ରହିଛି ପୂରା ଦେଶ । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠି ଜଳପ୍ରଳୟ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ସ୍ଥିତ ସଂଗୀନ ହେବା ସହ ଆଗକୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରି ସାରିଛି ଆଇଏମଡି ।

Advertisment

ଏପରି ପରିସ୍ଥିତି ଉପୁଜିଛି ଯେ, ତାସଘର ପରି ଭାଙ୍ଗୁଛି ବିଶାଳ ଅଟାଳିକା । ବନ୍ୟାପାଣିର ସ୍ରୋତରେ ଭାସୁଛି ବିରାଟ ପୋଲ । କେଉଁଠି ରାସ୍ତାଘାଟ ନଦୀ ପାଲଟିଛି ତ ପୁଣି କେଉଁଠି ରାସ୍ତା ଧୋଇ ହେଉଛି । କେଉଁଠି ଜଳବନ୍ଦୀ ଲୋକେ ତ ପୁଣି କେଉଁଠି ରାତି ଅଧରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରୁଛି ଏନଡିଆରଏଫ । ହିମାଚଳ ପ୍ରଦେଶରେ କେଉଁଟା ରାସ୍ତା କେଉଁଠି ରହିଛି ନଦୀ, ସେକଥା ଜଣାପଡୁନି । ସହର ଭିତରେ ପ୍ରବଳ ସ୍ରୋତରେ ବୋହୁଛି ବନ୍ୟା ପାଣି ।

ସେହିପରି ଜମ୍ମୁକଶ୍ମୀରରେ ପ୍ରବଳ ବର୍ଷା ବନ୍ୟା ସମସ୍ୟା ଆଣିଛି । ଗାଁଭିତରେ ପଶିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ବର୍ଷା ପଂଜାବକୁ ମଧ୍ୟ ଅଥୟ କରିଛି । ଗଳିଠୁ ସହର ସବୁଠି କେବଳ ବର୍ଷା ପାଣି । କିଛି ଦିନର ବର୍ଷା ପାହାଡିଆ ରାଜ୍ୟମାନଙ୍କୁ ସବୁଠୁ ଅଧିକ ଘାଇଲା କରିଛି । ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ସିଟିରେ ମଧ୍ୟ ସ୍ଥିତି ବିଗାଡିଛି ବର୍ଷା । ଆପାଟମେଂଟ ତଳେ ଚାଲୁଛି ଡଙ୍ଗା । ଏନଡଆରଏଫ ଟିମ ଉଦ୍ଧାର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣୁଛି । ହିମାଚଳ, ଊତରାଖଣ୍ଡ, କଶ୍ମୀରରେ ସ୍ଥିତି ବେହାଲ କରିଛି ବର୍ଷା । ଲୋକମାନେ ବନ୍ୟା ପାଣିରେ ଉବୁଟୁବୁ ହେଉଛନ୍ତି । କେବଳ ବନ୍ୟା ନୁହେଁ ଭୁସ୍ଖଳନ ଯୋଗୁଁ ଜୀବନ ଯାଉଛି । ରାସ୍ତା ଉପରେ ମାଟି ଅତଡା ଖସିବା ଯୋଗୁଁ ସ୍ଥିତି ବେହାଲ । ହସପିଟାଲରେ ମଧ୍ୟ ପଶିଛି ବନ୍ୟା ପାଣି । ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ମୌସୁମୀ ବର୍ଷା ଆସୁ ଆସୁ ଯେ ସ୍ଥିତି ଏତେ ଭୟଙ୍କର ହେବ ସେକଥା ହୁଏତ କେହି ଚିନ୍ତା କରିନଥିବେ । ଦିନ ଯେତିକି ବଢୁଛି ବନ୍ୟା,ବର୍ଷା ଓ ଭୁସ୍ଖଳନର ସମସ୍ୟା ସେତିକି ଘନେଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ, ହିମାଚଳପ୍ରଦେଶ, ହରିଆଣା, ଉତରପ୍ରଦେଶ, ଉତରାଖଣ୍ଡ, ଜମ୍ମୁକଶ୍ମୀର,ପଂଜାବ, ଗୁଜରାଟ, ମଧ୍ୟପ୍ରଦେଶ ସହ ଆଉ କିଛି ରାଜ୍ୟ ବର୍ଷା ଯୋଗୁଁ ବେଶ ପ୍ରଭାବିତ ହୋଇଛି । ଯେଉଁଠି ସ୍ଥିତି ବେଶ ଅସମ୍ଭାଳ ହୋଇପଡିଛି ସେହି ରାଜ୍ୟରେ ଶିକ୍ଷାନୁଷ୍ଟାନ ଗୁଡିକୁ ବନ୍ଦ ରଖାଯାଇଛି । ସବୁଠୁ ବଡ ପ୍ରଶ୍ନ ସୃଷ୍ଟି ହେଉଛି ମୌସୁମୀ ଆରମ୍ଭରୁ ଯଦି ସ୍ଥିତି ଏଭଳି ତେବେ ଆଗକୁ କ’ଣ ହେବ ରାଜ୍ୟମାନଙ୍କର ସ୍ଥିତି?