ଟାଟା ପାୱାର ହାତରେ ସେସୁ ! ସେସୁ ଦେବାଳିଆ ହେବା ପରେ ହାତ ଟେକିଦେଲେ ସରକାର । ଟାଟା ପାୱାର ହାତକୁ ଯିବ ସେସୁର ୫୧ ପ୍ରତିଶତ ଅଂଶଧନ

578

କନକ ବ୍ୟୁରୋ: କ୍ରମାଗତ ଭାବେ କ୍ଷତି ସହି ସେସୁ ଦେବାଳିଆ ହେବା ପରେ ହାତ ଟେକିଦେଲେ ରାଜ୍ୟ ସରକାର । ୧୭୫ କୋଟି ଟଙ୍କାରେ ୨୫ ବର୍ଷ ପାଇଁ ଓଡ଼ିଶା ଡିସକମ୍ ଲାଇସେନ୍ସ ଟାଟା ପାୱାରକୁ ଦିଆଯାଇଛି । ସେସୁର ୫୧ ପ୍ରତିଶତ ଅଂଶ ଟାଟା ପାୱାର ହାତକୁ ଯିବ, ବଳକା ୪୯ ପ୍ରତିଶତ ରହିବ ସରକାରଙ୍କ ପାଖରେ । ସେସୁର ମୋଟ ଅଂଶଧନ ମୂଲ୍ୟ ୩୫୦ କୋଟି ଟଙ୍କା ହିସାବରେ ହୋଇଛି ଏପରି ଭାଗବଣ୍ଟା ।

୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ସେସୁର ପଡିଛି ୧୯୭୧ କୋଟି ଟଙ୍କା ବକେୟା ବିଲ୍ । ବିଦ୍ୟୁତ ଟ୍ରାନ୍ସମିସନ୍ ବା ସଂଚାଳନ ଓ ବଂଟନରେ ବ୍ୟାପକ କ୍ଷତି ହେଉଛି । ଏହି ସ୍ଥିତି ସମ୍ଭାଳିବାକୁ ଅସମର୍ଥ ହେବାରୁ ସେସୁକୁ ବିକ୍ରି କରିବା ନିଷ୍ୱତ୍ତି ନେଇଥିଲେ ସରକାର । ୨୦୧୮ ମସିହାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଇଣ୍ଡିଆ ପାୱାର କର୍ପୋରେସନ ଲିମିଟେଡକୁ ପଛରେ ଓଡ଼ିଶା ସରକାରଙ୍କ ସହ ଡିଲ୍ କରିଛି ଟାଟା ପାୱାର । ଏହି ଡିଲ ଶେଷ ହେବା ପରେ ସେସୁ ଅଧୀନରେ ଥିବା ଓଡ଼ିଶାର ୫ଟି ସର୍କଲ – ଭୁବନେଶ୍ୱର ସର୍କଲ-୧ ଓ ସର୍କଲ-୨, କଟକ, ପାରାଦୀପ, ଢ଼େଙ୍କାନାଳରେ ବିଦ୍ୟୁତ ଯୋଗାଣ କରିବ ଟାଟା ପାୱାର ।
ତେବେ ଟାଟା ପାୱାର ପାଇଁ କ’ଣ ରହିବ ଚ୍ୟାଲେଂଜ? ବକେୟା ବିଦ୍ୟୁତ ବିଲ୍ ଆଦାୟ । ବିଦ୍ୟୁତ ଚୋରି ରୋକିବା । ବିଦ୍ୟୁତ ସଂଚାଳନ ଓ ବଂଟନ କ୍ଷତି ହ୍ରାସ କରିବା । ଉନ୍ନତମାନର ଏବଂ ୨୪ ଘଂଟିଆ ବିଦ୍ୟୁତ ସେବା ଯୋଗାଇବା ରହିବ ଟାଟା ପାଇଁ ମୁଖ୍ୟ ଚାଲେଞ୍ଜ ।

ତେବେ ଏବେ ପ୍ରଶ୍ନ ଉଠୁଛି, ଘରୋଇ କଂପାନୀ ହାତକୁ ସେସୁ ଯିବା ପରେ ଲକ୍ଷ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କର କ’ଣ ହେବ । ବ୍ୟବସାୟିକ ଦୃଷ୍ଟିକୋଣରୁ କ୍ଷତି ହ୍ରାସ କରିବା ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବା ଆଶଙ୍କା ପ୍ରକାଶ ପାଇଛି । ଫଳରେ ଅତିରକ୍ତ ଆର୍ଥିକ ବୋଝ ପଡ଼ିପାରେ ଗ୍ରାହକଙ୍କ ଉପରେ ।

ସେପଟେ ସେସୁକୁ ହାତକୁ ନେବା ପରେ ସେସୁର ୨୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ବିତରଣ କରିବ ଟାଟା ପାୱାର । ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୫୦ ଲକ୍ଷକୁ ବୃଦ୍ଧି ପାଇବ । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ଆଜମେରରେ ବିଦ୍ୟୁତ ବିତରଣ କରୁଛି ଟାଟା ପାୱାର । ଦିଲ୍ଲୀର ବିଦ୍ୟୁତ ସେବାରେ ୫୩ ପ୍ରତିଶତ କ୍ଷତି ହେଉଥିବା ବେଳେ ଟାଟା ପାୱାର ହାତକୁ ନେବା ପରେ ଏହାକୁ ୮ ପ୍ରତିଶତକୁ ହ୍ରାସ ପାଇଛି । ଓଡ଼ିଶାରେ ଟାଟା ପାୱାରର ଦିଲ୍ଲୀ ମଡେଲ କାମ ଦେବ ବୋଲି ଆଶା ରଖିଛନ୍ତି ସରକାର । ଚର୍ଚ୍ଚା ହେଉଛି, ଆସନ୍ତା ବର୍ଷ ଓଡ଼ିଶାର ଆଉ ୩ଟି ବିତରଣ କଂପାନୀ ସାଉଥକୋ, ୱେସକୋ ଓ ନେସକୋକୁ ଘରୋଇକରଣ କରିପାରନ୍ତି ସରକାର ।