ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ । ଆଇନ ପ୍ରତ୍ୟାହାର ନହେଲେ , ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି ।
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ କ୍ରାନ୍ତି । ଚାଷୀ ସଂସଦ ପରିସରକୁ ଯାଇ ଟ୍ରାକ୍ଟର ଚଳାଇବେ । ଏଥର ୪୦ ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସଂସଦ ପରିସରରେ ଚାଷୀ ଟ୍ରାକ୍ଟରରେ ହଳ କରି କୃଷି ରିସର୍ଚ୍ଚ ସେଂଟର କରି ଫସଲ ଉପୁଯାଇବେ ଏବଂ କେତେ ଲାଭ କେତେ କ୍ଷତି ତାହା ଦେଖାଇବେ । ତେବେ ଏହି ହଳ କ୍ରାନ୍ତି କରିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି ରାକେଶ ଟିକାୟତ । ଏହା ଚଳିତ ବର୍ଷ ହୋଇପାରେ, ଆଗାମୀ ବର୍ଷ ହୋଇପାରେ, ୫ ବର୍ଷ ପରେ ହୋଇପାରେ । କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ହଳକ୍ରାନ୍ତି ହୋଇକି ରହିବ ବୋଲି କହିଛନ୍ତି ଚାଷୀ ନେତା ।
ଚାଷୀ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସରକାର ଏଥିପାଇଁ ବାଟ କରିବା ଦରକାର । ବିନା କୌଣସି ଫଳାଫଳରେ ଆମେ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ରାକେଶ ଟିକାୟତ । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ମୋଦି ସରକାର ସବୁବେଳେ ଚାଷୀଙ୍କ ହିତ ପାଇଁ ଅଛନ୍ତି । ଚାଷୀଙ୍କ ଉତ୍ପାଦନ ଦୁଇ ଗୁଣ କରିବାକୁ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି । ଚାଷୀଙ୍କ ସହିତ ଆଲୋଚନା ପାଇଁ ସବୁ ରାସ୍ତା ଖୋଲା ଥିବା କହିଛନ୍ତି ତୋମର ।