ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା । ସୂଚନା ଦେଲେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

255

କନକ ବ୍ୟୁରୋ : ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି । ବୁଧବାରଦିନ ତାଙ୍କ ନିଜ ବାସଭବନରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ ।

କହିରଖୁ କି ଏବେ ପ୍ରାଥମିକ ସୂଚନା ପୋର୍ଟ-ଓ-ପ୍ରିନ୍ସରୁ ବାହାରକୁ ଆସିଛି । ଏହା ମଧ୍ୟରେ ପତ୍ରକାର ମାଇକେଲ ଡିବର୍ଟ ଏକ ବିଜ୍ଞପ୍ତି ସେୟାର କରି କାରବିୟାନ ଦେଶର ରାଷ୍ଟ୍ରପତିଙ୍କ ହତ୍ୟା ତାଙ୍କ ନିଜ ବାସଭବନରେ କମାଣ୍ଡୋ ଦ୍ୱାରା କରାଯାଇଥିବା କହିଛନ୍ତି ।

ଅନ୍ୟପଟେ ଖଲୀଜ୍ ଟାଇମ୍ସର ସୂଚନା ମୁତାବକ ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ କ୍ଲାଓଡ ଜୋସେଫ୍ ବୁଧବାରଦିନ ସୂଚନା ଦେଇ କହିଛନ୍ତି କି ଏକ ଅଜଣା ବ୍ୟକ୍ତି ଗୋଷ୍ଠୀଙ୍କ ଦ୍ୱାରା ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି । ଅଜଣା ଗୋଷ୍ଠୀ ରାତିରେ ମୋଇସଙ୍କ ବାସଭବନ ନିକଟରେ ପହଂଚି ଆକ୍ରମଣ କରିଥିଲେ । ସେମାନଙ୍କ ଗୁଳିରେ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକ ସ୍ପେନିସ୍ ଭାଷାରେ କଥା ହେଉଥିଲେ । ଏହି ଘଟଣା ବୁଧବାର ରାତି ୧ ଟା ମଧ୍ୟରେ ଘଟିଛି । ଆସୋସିଏଟେଡ ପ୍ରେସର ସୂଚନା ମୁତାବକ ରାଷ୍ଟ୍ରପତିଙ୍କ ପତ୍ନୀ ତଥା ହାଇତିର ପ୍ରଥମ ମହିଳା ମଧ୍ୟ ଏହି ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।