ରାଜ୍ୟର ୩ ଜିଲ୍ଲାରେ କୁଆ ପଥର ବର୍ଷା ସମ୍ଭାବନା । ପବନର ବେଗ ମଧ୍ୟ ଅଧିକ ରହିବ

999

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଆସନ୍ତା ୩ ଦିନ ଧରି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଖୁବ୍‌ ଅଧିକ ରହିବ । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବ‌ର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୫ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ସତର୍କ ରହିବାକୁ ତଥା ଆବଶ୍ୟକ ପ୍ରସ୍ତୁତି ସାରିବାକୁ ସ୍ବତନ୍ତ୍ର ରିଲିଫ କମିସନର୍‌ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ରର ସୂଚନା ମୁତାବକ, ୯ ତାରିଖ ଦିନ ୧୭ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଥିସହ କନ୍ଧମାଳ, ବୌଦ୍ଧ, ସୋନପୁର ଓ ଅନୁଗୁଳ ଆଦି ଜିଲ୍ଲାରେ କୁଆପଥର ବର୍ଷା ହେବ । ଏଣୁ ଏହି ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୧୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ପାଖାପାଖି ରହିବ। ଅପରାହ୍‌ଣରେ ଆକାଶ ମେଘାଚ୍ଛନ୍ନ ରହିବ। ବିଜୁଳି, ଘଡ଼ଘଡ଼ି ସହ ବ‌ର୍ଷା ହୋଇପାରେ।