ଫେରାର ହେବା ର୍ପୂବରୁ ରୂପ ବଦଳାଇଥିଲା କି ହାଇଦର? ହସ୍ପିଟାଲରୁ ଆସିଲା ଫଟୋ, ଅଚେତ ହୋଇଥିବା କନେଷ୍ଟବଳ କହିଲେ, ବିରିୟାନୀ ଖୁଆଇ କରିଥିଲେ ଅଚେତ ।

505

କନକ ବ୍ୟୁରୋ : ହାଇଦର ଫେରାର ହେବା ପୂର୍ବରୁ ହାଇଦରର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ହାଇଦରର ଚେହେରା ବଦଳି ଯାଇଛି । ମୁହଁରେ ଦାଢି ନାହିଁ, ନିଶ ବି ଭିନ୍ନ ବାଗରେ କଟାଯାଇଛି । ଫେରାର ହେବାର କିଛି ସମୟ ପୂର୍ବରୁ ଏହି ଫଟୋ ଉଠାଯାଇଥିବା କୁହାଯାଉଛି ।

ଫେରାର ହେବାର କିଛି ସମୟ ପୂର୍ବରୁ ଗ୍ୟାଙ୍ଗଷ୍ଟର ହାଇଦରର ଫଟୋ । ମୁହଁରେ ପୂର୍ବଭଳି ଦାଢି ନଥିଲା ଏବଂ ହାଇଦର, ହାଇଦର ଭଳି ଦେଖାଯାଉନଥିଲା । ଏଭଳି ରୁପରେ ହାଇଦରକୁ ବୋଧହୁଏ ସମସ୍ତେ ଚିହ୍ନି ମଧ୍ୟ ପାରିବେ ନାହିଁ । ଫେରାର ହେବା ପାଇଁ ହାଇଦର ରୁପ ବଦଳାଇଥିଲା ନା ଆଉ କିଛି ଉଦ୍ଦେଶ୍ୟ ଥିଲା ତାହା କହିହେବ ନାହିଁ । ଫଟୋ ହେଉଛି ସେତେବେଳର ଯେତେବେଳେ କଟକ ବଡ ମେଡିକାଲର ଏକ କ୍ୟାବିନରେ ଚାଲିଥିଲା ହାଇଦରର ଚିକିତ୍ସା । ଆଉ ଏପରି ଦେଖାଯାଉଥିବା ଅବସ୍ଥାରେ ହିଁ କୁଆଡେ ଉଭାନ ହୋଇଯାଇଥିଲା ଏହି ଗ୍ୟାଙ୍ଗଷ୍ଟର ।

କଟକର ମଙ୍ଗଳାବାଗ ଥାନାରେ ଏତଲା ଦେଇ କନେଷ୍ଟବଳ ଜଣଙ୍କ କହିଛନ୍ତି, ତାଙ୍କୁ ବିରିୟାନୀ ଖାଇବାକୁ ଦିଆଯାଇଥିଲା ଏବଂ ବିରିୟାନୀ ଖାଇବା ପରେ କଣ ହୋଇଥିଲା ସେ ଜାଣିନାହାନ୍ତି ।କିନ୍ତୁ ତା ପୂର୍ବରୁ ହାଇଦରକୁ ଭେଟିବା ପାଇଁ ପୁଅ ଓ ଜ୍ୱାଇଁ ହସ୍ପିଟାଲକୁ ଆସିଥିଲେ ବୋଲି ଏତଲାରେ ଲେଖିଛନ୍ତି ।

ହାଇଦର ଫେରାର ଘଟଣାରେ ସମ୍ବଲପୁର ପୋଲିସ ଉପରେ ସବୁଠାରୁ ବଡ ପ୍ରଶ୍ନ ଚିହ୍ନ ଲାଗିଛି । ହାଇଦରକୁ କଟକ ନେବାର କଣ ଆବଶ୍ୟକତା ପଡିଲା, ଡାକ୍ତର ରେଫର କରିନଥିଲେ ବି କାହିଁକି ତାଙ୍କୁ କଟକ ନିଆଗଲା, ହାଇଦର ପାଇଁ କଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଏସବୁ ପ୍ରଶ୍ନର ଉତର ଦେଇପାରୁନାହିଁ ସମ୍ବଲପୁର ପୋଲିସ ।

ଚୋର ଚାଲିଗଲା ପରେ ଚେତା ପଶିବା ପରି , ପୋଲିସ ଏବେ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି । ଭୁବନେଶ୍ୱରର ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥରେ କଡା ପହରା ଦିଆଯାଇଛି । ବସ ଏବଂ ରେଳ ପଥରେ ପୋଲିସର କଡା ଯାଂଚ । ମଂଚେଶ୍ୱର ଅଂଚଳର କିଛି ଆପାର୍ଟମେଣ୍ଟ ଏବଂ ହୋଟେଲରେ ପୋଲିସର ଚଢାଉ । ମେଡିକାଲର ସିଟିଟିଭି ଫୁଟେଡକୁ ଯାଂଚ କରାଯାଉଛି । ଏହି ଦୁର୍ଦ୍ଦଶ ଅପରାଧୀ ଫେରାର ହେବାର ୪୮ ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଗ୍ୟାଙ୍ଗଷ୍ଟରର ଟେର ପାଉନି ପୋଲିସ ।