କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି ।
କହିରଖୁ କି ଗ୍ୟାଙ୍ଗଷ୍ଟାର ହାଇଦର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ଭାବେ ଥିଲା । ଅସୁସ୍ଥ କାରଣରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ଅଣାଯାଇଥିଲା । ମାତ୍ର କଟକ ଏସସିବିରେ ସେ ଚିକିତ୍ସିତ ହେଉଥିବା ବେଳେ ୧୦ ତାରିଖ ଦିନ ସେ ସେଠାରୁ ଫେରାର୍ ହୋଇଯାଇଥିଲା । ହାଇଦରକୁ ଧରିବାକୁ ସାରା ରାଜ୍ୟର ପୋଲିସ ତନାଘନା କରୁଥିବା ବେଳେ ୟାକୁବର ଆତ୍ମସମର୍ପଣ ପୋଲିସକୁ କେତେ ସହାୟତା ହେବ ତାହା ଜେରା ପରେ ସ୍ପଷ୍ଟ ହେବ ।