ଭୁବନେଶ୍ୱର ଆସି ଫସିଗଲା ବାଲେଶ୍ୱର ଭୋଗରାଇର ଝିଅ ଅର୍ଚ୍ଚନା । ଜାଣିପାରିଲା ନାହିଁ ହାଇଦର ପୁଅର ସଂସ୍ଥାରେ କରୁଛି ଚାକିରି ।

ମାଲିକର କଥା ଶୁଣି କାଠ ବ୍ୟବସାୟୀଙ୍କୁ କରିଥିଲା ଫୋନ୍ । ଫସାଇ ଦେଲା ସେଇ ଫୋନ୍ କଲ 

1,054

କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଂଚଳର ଯୁବତୀ ଅର୍ଚ୍ଚନା କେବେ ଭାବିନଥିବେ ହାଇଦର ଗ୍ୟାଙ୍ଗର ଜଣେ ସଦସ୍ୟ ହିସାବରେ ପୁଲିସ ହାତରେ ଗିରଫ ହେବେ । ବୋଧହୁଏ ସେ ଏହା ବି ଜାଣିନଥିବେ ଯେ ହାଇଦର କିଏ ଏବଂ ଏହି ଗ୍ୟାଙ୍ଗଷ୍ଟର ସହ ନିଜ ପରିଚୟ ଯୋଡି ହେଲେ କଣ ହୁଏ । ଭୋଗରାଇ ମୁସଦପୁର ଗାଁର ଜଣେ ଝିଅ ହେଉଛନ୍ତି ଅର୍ଚ୍ଚନା, ସୋସିଆଲ ମିଡିଆରେ କେନ୍ଦ୍ରାପଡାର ଆଉ କିଛି ଝିଅଙ୍କ ସହ ବନ୍ଧୁତ୍ୱ କରିଥିଲେ । ଧିରେ ଧିରେ ଭୁବନେଶ୍ୱର ଆସି ସେମାନଙ୍କ ସହାୟତାରେ ଡାଟା ଏଂଟ୍ରି ଅପରଟେର ଭାବେ କାମ ପାଇଲେ ।  ଯେଉଁ ସଂସ୍ଥାରେ କାମ ପାଇଲେ ସେ ସଂସ୍ଥା ଥିଲା ଆଜାରୁଦ୍ଦିନର । ହୁଏତ ଯୁବତୀଜଣକ ଜାଣିନଥିଲେ, ଆଜାରୁଦ୍ଦିନ ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ।

ଆକ୍ଟିଂ କରିବା , ସ୍ୱାବଲମ୍ବୀ ହେବାର ଆଶାରେ ଭୋଗରାଇରୁ  ଭୁବନେଶ୍ୱର ଆସିଥିବା ଯୁବତୀ  ବୋଧହୁଏ ଜାଣିନଥିଲେ ସେ ଏକ ଜାଲ ଭିତରେ ଫସିଯାଉଛନ୍ତି  ଆଉ ଶେଷରେ ସେୟା ହେଲା । କଟକ ବଡ ଡାକ୍ତରଖାନାରୁ ଫେରାର ହେବା ପରେ ଅର୍ଚ୍ଚନାଙ୍କୁ ହାଇଦରର ପୁଅ ଆଜାରୁଦ୍ଧିନ କହିଥିଲା ଜଣେ କାଠ ବ୍ୟବସାୟୀଙ୍କୁ ଫୋନ କରିବା ପାଇଁ ଏବଂ ୫ ଲକ୍ଷ ଟଙ୍କା ଦେବା ପାଇଁ ।  କାଠ ବ୍ୟବସାୟୀଜଣକ ତୁରନ୍ତ ଏହି ଖବର ପୁଲିସକୁ ଜଣାଇଥିଲେ  ଏବଂ ପୁଲିସ ଏହି ଯୁବତୀଙ୍କୁ ଟ୍ରେସ କରିଦେଲା । ଏବଂ ସେହିଠାରୁ ହାଇଦରର ଟ୍ରେସିଂ ଆରମ୍ଭ ହେଲା ।

ଅର୍ଚ୍ଚନା ଯେମିତି ହାଇଦରର ଜାଲରେ ଫସିଗଲେ ସେମିତି ଅନ୍ୟ କାହା ସହ ବି ହୋଇପାରେ । ଗୋଟିଏ ସଂସ୍ଥାରେ ଜଣେ ଚାକିରୀ କରୁଥିବ ଏବଂ ମାଲିକର କଥା ମାନିବାରୁ ଜେଲ ଯିବାକୁ ପଡିବ । ଯୁବତୀ ଜଣକ ବର୍ତମାନ ଜେଲରେ ଅଛନ୍ତି ।  ଏବଂ ତାଙ୍କ ବିରୋଧରେ ଲାଗିଛି ଷଡଯନ୍ତ୍ରରେ ସାମିଲ ହେବାର ଆରୋପ । ଏବେ ତଦନ୍ତ ହିଁ କହିପାରିବ ଯୁବତୀ ପ୍ରକୃତରେ ଦୋଷୀ ନା ନାହିଁ ।