ଯେକୌଣସି ମୁହୂର୍ତ୍ତରେ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ଗିରଫ କରିପାରେ ପାକିସ୍ତାନ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ ।

150

ଆକ୍ସନ ମୋଡରେ ପାକିସ୍ତାନ । ଗିରଫ ହୋଇପାରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ୍ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଓ ତାର ୧୨ ଜଣ ଘନିଷ୍ଠ ସହଯୋଗୀଙ୍କୁ ପାକିସ୍ତାନ ସରକାର ଖୁବଶୀଘ୍ର ଗିରଫ କରିପାରନ୍ତି । ସେମାନଙ୍କ ବିରୋଧରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଆରୋପ ଲଗାଯାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ଗତକାଲି ଏହି ୧୩ ଜଣଙ୍କ ବିରୋଧରେ ୨୩ଟି ଏଫଆଇଆର ରୁଜୁ କରାଯାଇଥିଲା । ଏହି କାରଣରୁ ସେମାନଙ୍କୁ ଗିରଫ କରିପାରନ୍ତି ପାକିସ୍ତାନ ସରକାର । ପୂର୍ବରୁ ଚୀନ୍ ସହ ମିଶି ହାଫିଜକୁ ଅନେକ ଥର ବଞ୍ଚାଇଛି ପାକିସ୍ତାନ । କିନ୍ତୁ ଅର୍ନ୍ତଜାତୀୟ ଚାପ ପଡିବା ପରେ ଏବେ ପାକିସ୍ତାନ ଉପାୟଶୂନ୍ୟ ହୋଇପଡିଛି । କାରଣ ଆତଙ୍କବାଦୀଙ୍କୁ ପୋତ୍ସାହନ ଦେଲେ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ।

ପାକିସ୍ତାନର ଏଭଳି ଆକ୍ସନ କେବଳ ଲୋକ ଦେଖଣିଆ ବୋଲି ଭାରତ କହିଛି । ପାକିସ୍ତାନ ଏବେ ଗଭୀର ଆର୍ଥିକ ସଂକଟରେ ପଡିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ମଂଜୁର କରିଥିବାବେଳେ ସେଥିପାଇଁ କେତେକ କଠୋର ସର୍ତ୍ତ ଆରୋପ କରିଛି । ଅନ୍ୟପକ୍ଷରେ ଏଫଏଟିଏଫ ଏବେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବାବେଳେ ଆଗାମୀ ଦିନରେ କଳା ତାଲିକାଭୁକ୍ତ ମଧ୍ୟ କରିବାର ଆଶଙ୍କା ରହିଛି । ଏହି କାରଣରୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କେତେକ ପଦକ୍ଷେପ ନେଉଛି ବୋଲି ବିଶ୍ୱକୁ ଦେଖାଇବାକୁ ଚାହୁଁଛି ।