ଜେଲ ଯିବେ ଆତଙ୍କବାଦୀ ହାଫିଜ ସୟିଦ ଓ ତା ୧୨ ସହଯୋଗୀ । ଅନ୍ତର୍ଜାତୀୟ ଚାପରେ କାର୍ଯ୍ୟାନୁଷ୍ଠାନ ନେବ ଘଂଟ ଘୋଡାଉଥିବା ପାକିସ୍ତାନ ସରକାର

୨୬/୧୧ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତାର ୧୨ଘନିଷ୍ଠ ସହଯୋଗୀଙ୍କୁ ପାକିସ୍ତାନ ସରକାର ଖୁବ ଶୀଘ୍ର ଗିରଫ କରିପାରନ୍ତି ।

116

କନକ ବ୍ୟୁରୋ: ୨୬/୧୧ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତାର ୧୨ଘନିଷ୍ଠ ସହଯୋଗୀଙ୍କୁ ପାକିସ୍ତାନ ସରକାର ଖୁବ ଶୀଘ୍ର ଗିରଫ କରିପାରନ୍ତି । ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଆସୁଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପ ଆଗରେ ନଇଁ ହାଫିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି ।


ହାଫିଜ ଓ ତା ସହଯୋଗୀଙ୍କ ବିରୋଧରେ ଆତଙ୍କବାଦ ପ୍ରୋତ୍ସାହନ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ଲଗାଯାଇଛି । ତେବେ ପାକର ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଚଳିବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି । ଏପରି ଅଧାଅଧି କାର୍ଯ୍ୟାନୁଷ୍ଠାନ ନେଇ ସାରା ବିଶ୍ୱ ଆଖିରେ ଧୁଳି ଦେବାକୁ ଚାହୁଁଛି ପାକ୍ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆତଙ୍କବାଦୀଙ୍କ ଉପରେ ପାକିସ୍ତାନକୁ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ହେବ ଯାହାକୁ ବାରମ୍ବାର ବଦଳାଇବାକୁ ପଡିବନି ଏବଂ ଆତଙ୍କବାଦ ମୁକ୍ତ ପରିବେଶ ଭାରତ, ପାକିସ୍ତାନ ସହ ସାମାନ୍ୟ ସମ୍ପର୍କ ଚାହୁଁଛି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି । ଇମରାନ ଖାନ ସରକାର ଜମାଦ ଉଦ ଦାୱାର ମୁଖ୍ୟ ହାଫିଜ ସୟିଦ ଏବଂ ତାର ୧୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ସହ ୪ଟି ସଂଗଠନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ଘଟଣାରେ ତଦନ୍ତ କରାଯିବ । ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନ ସରକାର ହାଫିଜ ସହିଦ ଏବଂ ତାର ଅନ୍ୟ ସଦସ୍ୟ ବିରୋଧରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଥିବା ବିରୋଧରେ ମାମଲା ଦାୟର କରି ଗିରଫ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।