କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜି ମୁସଲିମ ଲିଗ’ ଆସନ୍ତା ନିର୍ବାଚନରେ ଭାଗ ନେବାକୁ ଯାଉଛି । ପାକିସ୍ତାନର ସମସ୍ତ ସଂସଦ ଓ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି । ହାଫିଜ ସଇଦର ପୁଅ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛି । ଏହି ଦଳ ନୱାଜ ସରିଫଙ୍କ ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇଛି ।
ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତର ମୋଷ୍ଟ ୱାଣ୍ଟେଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜୀ ମୁସଲିମ ଲିଗ’ (PMML) ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛି । ଦଳ ସମସ୍ତ ସଂସଦୀୟ ତଥା ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ଏହି ନିର୍ବାଚନରେ ହାଫିଜ ସଇଦର ପୁଅ ତାଲହା ସଇଦ ମଧ୍ୟ ପ୍ରତିଦ୍ବନ୍ଦିତା କରିବ ବୋଲି ଜଣାପଡିଛି । ସେ ଜାତୀୟ ବିଧାନସଭା ନିର୍ବାଚନମଣ୍ଡଳୀ NA-127 ଲାହୋରରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ଅପରପକ୍ଷରେ ପିଏମଏଲ କେନ୍ଦ୍ରୀୟ ସଭାପତି ଖାଲିଦ ମାସୁଦ ସିନ୍ଧୁ, ପାକିସ୍ତାନ ମୁସଲିମ ଲିଗର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ NA-130 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ହାଫିଜ ସଇଦର ଦଳର ନିର୍ବାଚନ ପ୍ରତୀକ ହେଉଛି ‘ଚେୟାର’ ।
ପାକିସ୍ତାନର ସମସ୍ତ ସିଟରେ ନିର୍ବାଚନ ଲଢିବ ଦଳ
PMMLର ଜଣେ ମୁଖପାତ୍ର ଡନକୁ କହିଛନ୍ତି ଯେ ତାଙ୍କ ଦଳ ଦେଶର ସମସ୍ତ ସଂସଦୀୟ ଆସନ ଏବଂ ପ୍ରାଦେଶିକ ଆସନ ପାଇଁ ପ୍ରାର୍ଥୀ ଦେବକୁ ନିଷ୍ପତି ନେଇଛି । ତାବିଶ କାୟୁମ ଦାବି କରିଛନ୍ତି ଯେ ଆମେ କୌଣସି ଆସନକୁ ବିନା ଲଢେଇରେ ଛାଡ଼ିବୁ ନାହୁଁ । ତେବେ ଯୋଗାଯୋଗ ହେଲେ ତାଙ୍କ ଦଳ ଅନ୍ୟ ଦଳ ସହ ସିଟ୍ ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ପ୍ରତିବନ୍ଧିତ ହେବା ପୂର୍ବରୁ ନାମ ଥିଲା ‘ମିଲି ମୁସଲିମ ଲିଗ’
PMML ୨୦୧୮ ସାଧାରଣ ନିର୍ବାଚନରେ ନିଷିଦ୍ଧ ଜମାତ-ଉଦ-ଦାୱାର ରାଜନୈତିକ ଚେହେରା ଭାବରେ ‘ମିଲି ମୁସଲିମ୍ ଲିଗ୍’ ନାମରେ ଅଂଶଗ୍ରହଣ କରିଥିଲା, କିନ୍ତୁ କୌଣସି ବି ନିର୍ବାଚନମଣ୍ଡଳୀରୁ ଆଶାନୂରୂପ ଫଳାଫଳ ପାଇବାରେ ବିଫଳ ହୋଇଥିଲା । ଏପରିକି ଏହାର ସମସ୍ତ ପ୍ରାର୍ଥୀ ଅମାନତ ହରେଈ ଥିଲେ । ଯେତେବେଳେ ପାକିସ୍ତାନ ଅନ୍ତର୍ଜାତୀୟ ଚାପରେ ଜମାତ-ଉଦ-ଦାୱା ଏବଂ ଏହାର ରାଜନୈତିକ ଦଳ ‘ମିଲି ମୁସଲିମ ଲିଗ’କୁ ନିଷିଦ୍ଧ କଲା, ସେତେବେଳେ ସେମାନେ ଏହାର ନାମ ପରିବର୍ତ୍ତନ କରି ‘ପାକିସ୍ତାନ ମାର୍କାଜୀ ମୁସଲିମ’ ଲିଗ’ରେ ନାମିତ କରିଦେଲେ ।
ଦଳର ବହୁ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି
ପାକିସ୍ତାନ ମାର୍କାଜୀ ମୁସଲିମ ଲିଗର ମୁଖପାତ୍ର କାୟୁମ କହିଛନ୍ତି ଯେ ତାଙ୍କ ଦଳର ବରିଷ୍ଠ ଉପସଭାପତି ଫୈସଲ ନାଡିମ NA-235 କରାଚିରୁ, PP-156 ରୁ ଅର୍ଥ ସଚିବ ଆର୍ ନାକଭି, NA-119 ରୁ ହାଫିଜ ଅବଦୁଲ ରାଉଫ, PP-162 ରୁ ଖାଲିଦ ନାୟକ ଗୁଜାର, ପଞ୍ଜାବର ସାଧାରଣ ସମ୍ପାଦକ ମୁଜାମିଲ ଇକବାଲ ହାଜମୀ NA-77, ଗୁଜରାନୱାଲା ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।