(FILES) This file photo taken on January 18, 2017 shows an Indian visitor giving a thumb impression to withdraw money from his bank account with his Aadhaar or Unique Identification (UID) card during a Digi Dhan Mela, held to promote digital payment, in Hyderabad. India's Supreme Court ruled August 24 that citizens have a constitutional right to privacy, a landmark verdict that could have wide-reaching implications for the government's biometric programme which holds data on over one billion people. / AFP PHOTO / Noah SEELAM
କନକ ବ୍ୟୁରୋ : ଭାରତୀୟଙ୍କ ପରିଚୟର ମୁଖ୍ୟ ଆଧାର ସାଜିଥିବା ‘ଆଧାର’ ପୁଣି ହ୍ୟାକିଂ ନେଇ ବିବାଦକୁ ଆସିଛି। ଏହାର ସଫ୍ଟେଓ୍ଵରକୁ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ଏମିତି କି ହ୍ୟାକିଂ ପରେ ଆଧାର ସଫ୍ଟେଓ୍ଵର୍ ‘ପ୍ୟାଚ୍’କୁ ୨,୫୦୦ ଟଙ୍କାରେ ବିକ୍ରି କରାଯାଉଛି ଏବଂ ଏହି ପ୍ୟାଚକୁ ବ୍ୟବହାର କରି ଜଣେ ଅନଧିକୃତ ବ୍ୟକ୍ତି ବିଶ୍ୱର ଯେ କୌଣସି ସ୍ଥାନରେ ଆଧାର ପରିଚୟପତ୍ର (ଆଇଡି) ତିଆରି କରିପାରିବ ବୋଲି ଦାବି କରାଯାଇଛି। ହଫ୍ପୋଷ୍ଟ ଇଣ୍ଡିଆ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ୟୁଆଇଡିଏଆଇ ଏହାକୁ ଖଣ୍ଡନ କରିଛି। ଏଭଳି ରିପୋର୍ଟରେ ସତ୍ୟତା ନାହିଁ ବୋଲି ଏହା ଦର୍ଶାଇଛି। ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରି କୁହାଯାଇଛି ଯେ କୌଣସି ବ୍ୟକ୍ତି ଆଧାର ଆଇଡି ତିଆରି କରିପାରିବେ ନାହିଁ କି ଏହାକୁ ସଂଶୋଧନ କରିପାରିବେ ନାହିଁ। ଯେ ପର୍ଯ୍ୟନ୍ତ କୌଣସି ଲୋକ ନିଜ ବାୟୋମେଟ୍ରିକ୍ ତଥ୍ୟ ଦେଇନାହାନ୍ତି, ତାଙ୍କ ଆଧାରକୁ ଅପଡେଟ କରାଯାଇପାରିବ ନାହିଁ । ଲୋକଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରିବା ଲାଗି ଏଭଳି ମିଥ୍ୟା ଦାବି କରାଯାଉଛି। ଏହାଛଡ଼ା ନିୟମିତ ଭାବେ ସଫ୍ଟେଓ୍ଵରରେ ନିରାପତ୍ତା ବୈଶିଷ୍ଟ ଯୋଡ଼ାଯାଉଛି, ଯଦ୍ଦ୍ଵାରା କୌଣସି ନୂଆ ବିପଦକୁ ଏଡ଼ାଇ ଦେଇହେବ।
ହଫ୍ପୋଷ୍ଟ ଇଣ୍ଡିଆ ରିପୋର୍ଟ ଦର୍ଶାଇଛି ଯେ ଆଧାର ଡାଟାବେସର ସୁରକ୍ଷା ନିମନ୍ତେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏକ ସଫ୍ଟେଓ୍ଵର ପ୍ୟାଚ୍ ସ୍ଥାନିତ କରାଯାଇଥିଲା। ଏହାଦ୍ୱାରା ଲୋକଙ୍କ ଆଧାର ତଥ୍ୟ ସୁରକ୍ଷିତ ରହିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ପ୍ୟାଚରେ ହିଁ ଛିଦ୍ର ରହିଛି। ୟୁଆଇଡିଏଆଇ ଦ୍ୱାରା ଔପଚାରିକ ଭାବେ ଏହି ପ୍ୟାଚକୁ ବିକଶିତ କରାନଯାଇ ଡାଟାବେସର ବ୍ୟବହାର କରାଯାଇଛି। ଏହି ପ୍ୟାଚକୁ ବ୍ୟବହାର କରି ଯେ କୌଣସି ଅନଧିକୃତ ବ୍ୟକ୍ତି ଆଧାର ଆଇଡି ତିଆରି କରିପାରିବ। ପ୍ୟାଚ୍ ଦ୍ୱାରା ସଫ୍ଟେଓ୍ଵର୍ର ନିରାପତ୍ତା ବୈଶିଷ୍ଟ୍ୟକୁ ନିଷ୍କ୍ରିୟ କରାଯାଇ ଆଧାର ନମ୍ବର ଏବଂ ନମ୍ବର ସହ ସଂଶ୍ଳିଷ୍ଟ ସମସ୍ତ ଡାଟା ହାସଲ କରାଯାଇ ପାରିବ। ଏକକାଳୀନ ୨,୫୦୦ ଟଙ୍କା ଦେଇ ଜଣେ ଅନଧିକୃତ ବ୍ୟକ୍ତି ଏହି ପ୍ୟାଚ୍ ହାସଲ କରି ବିଶ୍ୱର ଯେ କୌଣସି ସ୍ଥାନରୁ ଆଧାର ଆଇଡି ତିଆରି କରିପାରିବ ବୋଲି ହଫ୍ପୋଷ୍ଟ ଇଣ୍ଡିଆ ରିପୋର୍ଟ ଦାବି କରିଛି।
ଆଧାର ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ସକାଶେ ୨୦୧୦ରେ ୟୁଆଇଡିଏଆଇ (ଭାରତୀୟ ଏକକ ପରିଚୟ ପ୍ରାଧିକରଣ) ବେସରକାରୀ ସଂସ୍ଥାଙ୍କୁ ନାମାଙ୍କନ ଦାୟିତ୍ୱ ଦେଇଥିଲା। ସେହି ଦିନଠାରୁ ଆଧାର ଡାଟାବେସ୍ ହ୍ୟାକିଂର ଶିକାର ହେଉଥିବା ରିପୋର୍ଟ ଦର୍ଶାଇଛି। ଏକାଧିକ ବିଶେଷଜ୍ଞଙ୍କ ଦ୍ୱାରା ବାରମ୍ବାର ଯାଞ୍ଚ ସତ୍ତ୍ୱେ ଆଧାରର ସଫ୍ଟେଓ୍ଵର୍ ପ୍ୟାଚକୁ ଏବେ ଅନେକ ସଂସ୍ଥା ଆକ୍ସେସ୍ କରିପାରୁଛନ୍ତି। ହଫ୍ପୋଷ୍ଟ ଇଣ୍ଡିଆ ମଧ୍ୟ ଏହାର ଆକ୍ସେସ୍ କରିଥିବା ଦାବି କରିଛି। ଏହି ପ୍ୟାଚ୍ ଦ୍ୱାରା ବ୍ୟବହାରକାରୀ ‘ନାମାଙ୍କନ ସଫ୍ଟେଓ୍ଵର୍’ରେ ଥିବା ଜିପିଏସ୍ ସିକ୍ୟୁରିଟି ବୈଶିଷ୍ଟ୍ୟକୁ ନିଷ୍କ୍ରିୟ କରି ତଥ୍ୟ ହାସଲ କରିପାରିବେ। ଜିପିଏସ୍ ନିଷ୍କ୍ରିୟ ହେବା ଯୋଗୁ ୟୁଆଇଡିଏଆଇ ଏହାର ଟେର୍ ପାଇପାରିବ ନାହିଁ। ଫଳରେ ଜଣେ ବ୍ୟକ୍ତି ବିଶ୍ୱର ଯେ କୌଣସି ସ୍ଥାନରୁ ଆଧାର ଆଇଡି ତିଆରି କରିପାରିବ। ଏହି ସଫ୍ଟେଓ୍ଵର ପ୍ୟାଚ୍ ଯୋଗୁ ନାମାଙ୍କନ ସଫ୍ଟେଓ୍ଵର୍ର ‘ଚକ୍ଷୁ ପରିଚୟ ବ୍ୟବସ୍ଥା’ର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସଫ୍ଟେଓ୍ଵର୍ ପ୍ୟାଚକୁ ଆକ୍ସେସ୍ କରିପାରୁଥିବା ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ଯେ କୌଣସି ବ୍ୟକ୍ତିର ଆଧାର ତଥ୍ୟ ହାସଲ କରିପାରିବ। ‘ଆକ୍ସେସ୍ ନାଓ’ର ମୁଖ୍ୟ ପ୍ରଯୁକ୍ତିବିଦ୍ ଗୁସ୍ତାଫ୍ ଜୋକ୍ଷ୍ଟେନ୍ କହିଛନ୍ତି, ସଫ୍ଟେଓ୍ଵର ପ୍ୟାଚକୁ ଯିଏ ବି ସୃଷ୍ଟି କରିଥାଉ ନା କାହିଁକି ଆଧାରକୁ କ୍ଷତି ପହଞ୍ଚାଇବା ନିମନ୍ତେ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ଥାଇପାରେ। ଉଲ୍ଲେଖଯୋଗ୍ୟ, ଏହି ପ୍ୟାଚକୁ ବିଶ୍ଳେଷଣ କରିଥିବା ବିଶେଷଜ୍ଞଙ୍କ ମଧ୍ୟରେ ଜୋକ୍ଷ୍ଟେନ୍ ଅନ୍ତର୍ଭୁକ୍ତ। ଏ ପ୍ରସଙ୍ଗରେ ଜଣେ ପୂର୍ବତନ ଆଧାର ପଞ୍ଜୀକରଣ ଅପରେଟର୍ କୁହନ୍ତି, ଏବେ ମଧ୍ୟ ବେଆଇନ ଭାବେ ଅପରେଟର୍ମାନେ ଆଧାର ସଫ୍ଟେଓ୍ଵର ଆକ୍ସେସ୍ କରୁଛନ୍ତି। ଏହି ପ୍ୟାଚ୍ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଉଛି। ତେଣୁ ସେ ଏ ନେଇ ୟୁଆଇଡିଏଆଇ ସିଇଓଙ୍କ ନିକଟକୁ ଚିଠି ଲେଖି ଜଣାଇଥିଲେ। ତା’ସତ୍ତ୍ୱେ ବି ଏହି ପ୍ୟାଚକୁ ହଟାଯାଇ ନାହିଁ କି ସଂଶୋଧନ କରାଯାଇ ନାହିଁ ବୋଲି ସେ କହିଛନ୍ତି।
Follow Us